ନିଶା ବେପାରକୁ ବିରୋଧରୁ ପନିକିରେ ଯୁବକଙ୍କୁ ଆକ୍ରମଣ: ପ୍ରତିବାଦରେ ବ୍ୟବସାୟୀ, ବୈଶ୍ୟ ସଂଘ କର୍ମକର୍ତ୍ତାଙ୍କ ରାସ୍ତାରୋକ

ପୋଲସରା : ସର୍ବସାଧାରଣ ସ୍ଥାନରେ ଗଞ୍ଜେଇ ଓ ମଦ ବେପାରକୁ ବିରୋଧ କରିବାରୁ ଗଞ୍ଜାମ ଜିଲ୍ଲା ପୋଲସରା ସହରର ଜଣେ ବ୍ୟବସାୟୀଙ୍କୁ ଜଣେ ଯୁବକ ଲୁହା ପନିକିରେ ମରଣାନ୍ତକ ଆକ୍ରମଣ କରିଥିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଆହତ ବ୍ୟବସାୟୀଜଣକ ହେ‌ଲେ, ସ୍ବପ୍ବେଶ୍ବର ପାତ୍ର। ଏହି ଘଟଣାକୁ ନେଇ ସହରରେ ଉତ୍ତେଜନା ଦେଖାଦେଇଥିଲା। ସାଥୀ ବ୍ୟବସାୟୀମାନେ ଓ କଳିଙ୍ଗ ବୈଶ୍ୟ ସଂଘର କର୍ମକର୍ତ୍ତାମାନେ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ନେହରୁ ମାର୍କେଟ୍ ନିକଟ ମୁଖ୍ୟରାସ୍ତାକୁ ଅଧଘଣ୍ଟା ଧରି ଅବରୋଧ କରିଥିଲେ। ପୋଲସରା ଥାନା ଅତିରିକ୍ତ ଆଇଆଇସି କୃଷ୍ଣଚନ୍ଦ୍ର ଶାହା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥି‌ଲେ। ଫଳରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା।
ସୂଚନାନୁସାରେ, ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚବିଦ୍ୟାଳୟ ସମ୍ମୁଖରେ କଇଠବନ୍ଧର ଏକ ହିଡ଼ରେ  ତ୍ରିନାଥ ଠାକୁରଙ୍କୁ ପୂଜା କରାଯାଉଛି। ଏହାସହ ପ୍ରତି ରବିବାର ମେଳା ଆୟୋଜିତ ହେବା ସହ ପ୍ରତିଦିନ ମହିଳାମାନେ ଏହି ତୁଠକୁ ଆସୁଛନ୍ତି। ତେବ‌େ ଗତକିଛି ଦିନ ହେଲା ସେଠାରେ କିଛି ଯୁବକ ଗଞ୍ଜେଇ ଓ ମଦ ସେବନ କରିବା ସାଙ୍ଗକୁ ବ୍ୟବସାୟ ଆରମ୍ଭ କରିଛନ୍ତି। ଏହାସହ ଲିଙ୍ଗରାଜ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀଙ୍କୁ କମେଣ୍ଟ୍ କରୁଛନ୍ତି। ମହିଳାମାନେ ସୁରକ୍ଷିତ ମଣୁନାହାନ୍ତି। ନେହରୁ ମାର୍କେଟ୍ ବ୍ୟବସାୟୀମାନେ ଗତକାଲି ରାତି ୮ଟାରେ ସେଠାରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଏହି ସମୟରେ କାଳୀମନ୍ଦିର ସାହିର ମଳୟ ଜେନା ଓ ତା’ର ସହଯୋଗୀ ମାନେ ବ୍ୟବସାୟୀଙ୍କୁ ଗାଲିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏହାସହ ଦାଦାବଟି ଦେବାକୁ ଧମକ ଦେଇଥିଲେ।
ଆଜି ଅପରାହ୍‌ଣ ସାଢ଼େ ୪ଟାରେ ମଳୟ ଜେନା ଓ ବ୍ୟବସାୟୀ ସ୍ବପ୍ନେଶ୍ବର ପାତ୍ରଙ୍କ ମଧ୍ୟରେ ଗତକାଲିର ଘଟଣାକୁ ନେଇ ପୁଣି ବଚସା ହୋଇଥିଲା। ଏହି ସମୟରେ ମଳୟ ଏକ ଦୋକାନରୁ ପନିକି ଆଣି  ସ୍ବପ୍ନେଶ୍ବରଙ୍କ ବାମହାତକୁ ଚୋଟ ପକାଇଥିଲା। ତାଙ୍କୁ ସଂଗେ ସଂଗେ ପୋଲସରା ଡାକ୍ତରଖାନାକୁ ନିଆଯାଇଥିଲା। ଏହାପରେ ସ୍ବପ୍ନେଶ୍ବର ଓ ଅନ୍ୟ ବ୍ୟବସାୟୀମାନେ ପହଞ୍ଚି ଥାନାରେ ଏତଲା ଦେଇଥିଲେ। ତେବ‌େ ଜାତିଆଣ ଆକ୍ଷେପ ପ୍ରତିବାଦରେ ବ୍ୟବସାୟୀମାନେ ରାସ୍ତାରୋକ କରିଥିଲେ।
ଆକ୍ରମଣ ଘଟଣା ନେଇ ସ୍ବପ୍ନେଶ୍ବରଙ୍କ ଏତଲା କ୍ରମେ ପୋଲସରା ଥାନାରେ କେସ୍ ନମ୍ବର ୫୩୨ ଅନୁସ‌ାରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଗାଳିଗୁଲଜ ଓ ଜାତିଆଣ ଆକ୍ଷେପ ପାଇଁ ନେହରୁ ମାର୍କେଟ୍ ବ୍ୟବସାୟୀ ସଂଘ ପକ୍ଷରୁ ଆଉ ଏକ ଏତଲା ଦିଆଯାଇଛି। ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ବେଳ‌େ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି। ସେହିପରି ବ୍ୟବସାୟୀମାନେ ପୋଲସରା ଡାକବଙ୍ଗଳାରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଭେଟି ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ସମ୍ବନ୍ଧିତ ଖବର