ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ ଏକ ଘରୋଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। କିସ୍ତି ଟଙ୍କା ଆଦାୟକୁ ନେଇ ଯୁକ୍ତତର୍କରୁ ଏଭଳି ଘଟିଥିବା ଜଣାପଡ଼ିଛି। ଏନେଇ ଗୋଡ଼ିପଡ଼ା ଫାଣ୍ଡିରେ ଏହି ଘରୋଇ ଫାଇନାନ୍ସ କମ୍ପାନୀ ଅରୋହଣ ଫାଇନାନ୍ସ ଲିମିଟେଡ ପକ୍ଷରୁ ଅଭିଯୋଗ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ କମ୍ପାନି ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଲୋନ୍ ଦେଇଛି। ଆଜି ଏହି ଲୋନ୍ ବାବଦରେ କିସ୍ତି ଟଙ୍କା ଆଦୟେ କରିବାକୁ କର୍ମଚାରୀ ଶିବରାମ ବହେରା(୨୫) ଗୋଡ଼ିପଡ଼ାର ତୋଡିବାଡ଼ି ସାହିକୁ ଯାଇଥିଲେ। ଲୋନ୍ ନେଇଥିବା ସଦସ୍ୟା ପ୍ରତିମା ନାୟକଙ୍କ ସହିତ କୌଣସି କାରଣରୁ ତାଙ୍କର ବଚସା ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ହେବାରୁ ପ୍ରତିମା ତଳେ ପଡ଼ି ଯାଇଥିଲେ। ଏହା ଦେଖି ପ୍ରତିମାଙ୍କ ସ୍ବାମୀ ସନ୍ତୋଷ, ପ୍ରତିମା ଓ ସେମାନଙ୍କ ପୁଅ ମିଳିତ ଭାବେ ଶିବରାମଙ୍କୁ ଆକ୍ରମଣ କରିଥିଲେ। କାଠ ଫାଳିଆ ଓ ଢେଙ୍ଗାରେ ମାଡ଼ ମାରିଥିଲେ। ଏଥିରେ ଶିବରାମଙ୍କ ମୁଣ୍ଡରେ ଫାଟି ଯାଇଥିବା ଦେଖାଯାଇଛି। ପ୍ରଥମେ ତାଙ୍କୁ ଗୋଡ଼ିପଡ଼ା ଚିକିତ୍ସାଳୟ ଓ ସେଠାରୁ ଜିଲ୍ଲା ମୁଖ୍ୟଚିକତ୍ସାଳୟକୁ ରେଫର କରାଯାଇଛି। ଏବାବଦରେ ଶରଣକୁଳ ଆଇଆଇସି ବିମଳ ମଲ୍ଲିକ କହିଛନ୍ତି, ଏନେଇ ଅଭିଯୋଗ ପାଇଛୁ, ଜୋରଜବରଦସ୍ତ କିସ୍ତି ଟଙ୍କା ଆଦାୟରୁ ଏଭଳି ଘଟିଥିବା ଜଣାପଡ଼ୁଛି। ଘଟଣାର ସବିଶେଷ ତଦନ୍ତ କରାଯାଉଛି।