ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି 

ଭଞ୍ଜନଗର: ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ୍‌ ପରିସରରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ ଏହି ଅଭାବନୀୟ ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ତଳେ ସେଭଳି ପଡି ରହିଥିଲେ ମଧ୍ୟ କେହି ଉଦ୍ଧାର କରି ମେଡିକାଲ୍‌କୁ ନେଇ ନଥିଲେ। ପରେ ଖବର ପାଇଁ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌ କର୍ମଚାରୀଙ୍କ ସହାୟତାରେ ଆହାତ ଯୁବକକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଆକ୍ରମଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଆହତ ଯୁବକ ଜଣକ ହେଲେ ବେଲଗୁଣ୍ଠା ମନଇଛା ସାହିର ରବି ପାତ୍ରଙ୍କ ପୁଅ ସରୋଜ ପାତ୍ର(୩୧)।

ସୂଚନା ଅନୁସାରେ ରବି ପାତ୍ର ଏକ ମଦଭାଟିରେ କାମ କରୁଥିବା ବେଳେ ଆଜି ମଧ୍ୟାହ୍ନରେ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍‌ କରି ବସ୍‌‌ଷ୍ଟାଣ୍ଡ୍‌ ଆସିବା ପାଇଁ କହିଥିଲେ। ସେ ନିଜ ବାଇକ୍‌ରେ ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିବା ପରେ ହଠାତ୍‌ ଦୁବୃର୍ତ୍ତ ଜଣକ ଟ୍ରାକ୍ଟରରେ ତାଙ୍କ ନିକଟକୁ ଆସି ଗାଡିରେ ଥିବା ଏକ ବେଲଚାରେ ତାଙ୍କ ମୁଣ୍ଡ ଏବଂ ଛାତିକୁ ଆକ୍ରମଣ କରିଥିବା ସରୋଜ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ସରୋଜ ତଳେ ପଡି ରହିଥିବା ବ‌େଳେ ଆକ୍ରମଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେଠାରେ ଶତାଧିକ ଲୋକଙ୍କ ଭିଡ଼ ଜମି ଥିବା ବେଳେ ସ‌େଠାରେ ‌ସରୋଜର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପୁଲିସ୍‌ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସରୋଜକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ଏଥିସହ ଆକ୍ରମଣକାରୀକୁ କାବୁ କରିବା ନିମନ୍ତେ ଚଢଉ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର