ପାଲଲହଡ଼ା: ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। କିନ୍ତୁ ଏଥିରେ ମଧ୍ୟ ସେ ବିଫଳ ହୋଇଛନ୍ତି। ସଂପୃକ୍ତ ଯୁବକ ଜଣକ ପ୍ରେମରେ ବିଫଳ ହେବା ପରେ ନିଜ ଦେହରେ କିରାସିନି ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛି। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଂଚଳରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଯୁବକ ଜଣକ ହେଲେ ବିଶ୍ବନାଥ ନାଏକ।
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୧ଟା ୩୦ରେ ପାଲଲହଡ଼ା ଥାନା ଅନ୍ତର୍ଗତ ଈଶ୍ୱରନଗରରେ ରହୁଥିବା ବିଶ୍ବନାଥ ନାଏକ ନାମକ ଜଣେ ଯୁବକ ନିଜ ଦେହରେ କିରାସିନି ଢ଼ାଳି ଦେଇଥିଲେ। ପୁଲିସ ତାଙ୍କୁ ପ୍ରେମିକାକୁ ଆଣିଦେଉ କହି ହଠାତ ଥାନା ସମ୍ମୁଖରେ ଦୌଡ଼ି ଦୌଡ଼ି ଏଭଳି କାଣ୍ଡ କରିଥିଲେ। ଏହା ପରେ ସେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଥାନା ଭିତରକୁ ପଶି ଆସି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀ ତାଙ୍କୁ କାବୁ କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଆହତ ଯୁବକ ବର୍ତମାନ ପାଲଲହଡା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ପିଠି ପଛ ପାଖ ପୋଡି ଯାଇଛି। ସେ ଧରିଥିବା ଖାତାପତ୍ରକୁ ପୁଲିସ ଜବତ କରିଛି। ପୁଲିସ କହିବା ଅନୁଯାଇ ପ୍ରେମିକାକୁ ନ ପାଇବା ପରେ ମାନସିକ ଭାରସାମ୍ୟ ହରାଇଛି ସଂପୃକ୍ତ ଯୁବକ। ପୁଲିସ ଜାଣିବାକୁ ପାଇଛି ଯେ ପ୍ରେମରେ ବିଫଳ ହୋଇଥିବା ଯୁବକର ଘର ସମ୍ବଲପୁର ଧମା ଅଞ୍ଚଳରେ।