ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡାସ୍ଥିତ ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଛଟେଇ ହୋଇଥିବା ବିଦ୍ୟୁତ୍‌ କର୍ମଚାରୀ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି। କିନ୍ତୁ ଏହି ଘଟଣା ପୂର୍ବରୁ ପୁଲିସ ଘଟଣାସ୍ଥଳରେ ପହଂଚି ଅସନ୍ତୋଷ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅଟକାଇଛି। ପୁନଃ ନିଯୁକ୍ତି ଦାବିରେ ଚମ୍ପକ କୁମାର୍‌ ସାହୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ଆୟତ କରିଥିଲା। ଆଜି ପୂର୍ବାହ୍ନ ୧୧ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୫ ଘଣ୍ଟାର ଆନ୍ଦୋଳନ ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।

Advertisment

ପାଳଲହଡ଼ା ଉପଖଣ୍ଡ ବିଦ୍ୟୁତ୍‌ ବିଭାଗ ସେସୁ ଅଧୀନରେ ପାଲଲହଡ଼ା, ଖମାର୍‌, ପରାବିଲ ଏବଂ ରେଙ୍ଗାଲି ସେକ୍ସନ ରହିଛି। ଏହି ୪ଟି ସେକ୍ସନକୁ ଏନ୍‌ ଜେନ୍‌ କମ୍ପାନି ଠିକାରେ ନେଇଥିଲା। କମ୍ପାନି ଅଧିନରେ ବିଦ୍ୟୁତ କର୍ମଚାରୀମାନେ କାମ କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପାଲଲହଡ଼ା, ଖମାର୍‌, ପରାବିଲ ଏବଂ ରେଙ୍ଗାଲି ସେକ୍ସନକୁ ଟାଟା ପାଓ୍ଵାର କମ୍ପାନି ଠିକା ଭାବେ ନେଇଥିଲା। ଟାଟା କଂପାନି ପୂର୍ବରୁ କାମ କରୁଥିବା କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇ ନାହିଁ। ତେଣୁ ବେକାର ଥିବା ଯୁବକମାନେ ଏବେ ପୁନଃ ନିଯୁକ୍ତି ଦାବି କରିଛନ୍ତି। ଆଜି ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ଭୁକ୍ତା ଏବଂ ଛଟେଇ କର୍ମଚାରୀ କେନ୍ଦ୍ରର ଯୁବନେତା ଚମ୍ପକ କୁମାର ସାହୁଙ୍କ ନେତୃତ୍ୱରେ ଛଟେଇ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଆସି ସେସୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସହ ନିଯୁକ୍ତି ଦାବିରେ ସ୍ଲୋଗାନ ଦେଇଥିଲେ।

ସୂଚନାଯୋଗ୍ୟ ଏନ୍‌ ଜେନ୍‌ କମ୍ପାନି ଛାଡ଼ି ଦେବା ପରେ ୪ଟି ସେକ୍ସନର ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ଯୁବକ ବେକାର ଅଛନ୍ତି। ଟାଟା ପାୱାର କମ୍ପାନି ଏନ୍‌ ଜେନ୍‌ରେ କର୍ଯ୍ୟାରତ କିଛି ଯୁବକଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ରୋକ ଠୋକ୍‌ ମନା କରିଦେଇଛି। ଏଥିରେ ପାଲଲହଡ଼ା ସେସୁ ବିଭାଗର ସହକାରୀ ଯନ୍ତ୍ରୀ ଆକ୍ଷୟ କୁମାର ସାହୁଙ୍କ ହାତ ରହିଛି ବୋଲି ଛଟେଇ କର୍ମଚାରୀମାନେ ଅଭିଯୋଗ କରିଥିଲେ। ଛଟେଇ ହୋଇଥିବା କର୍ମଚାରୀମାନେ ଅକ୍ଷୟଙ୍କ ବିରୁଦ୍ଧରେ ମଧ୍ୟ ସ୍ଲେଗାନ ଦେଇଥିଲେ।

ସେସୁର ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ସାହୁ କହିଛନ୍ତି, ଆମ ହାତରେ କିଛି ନାହିଁ । ନିଯୁକ୍ତି ଦେବା ପୂର୍ବରୁ ଟାଟା କମ୍ପାନି ଭୁବନେଶ୍ୱରରେ ପ୍ରାର୍ଥୀଙ୍କର ସାକ୍ଷାତକାର କରିଛି। ନିଯୁକ୍ତି ତାଙ୍କ ହାତରେ। ଆମ ହାତରେ କୌଣସି କ୍ଷମତା ନାହିଁ। ଦୀର୍ଘ ସମୟ ଧରି ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଅଫିସରେ ତାଲା ପକାଇବା ଓ ଗଣଧାରଣା ଯୋଗୁଁ ଉତ୍ତେଜନା ଲାଗି ରହିଥିଲା।