ଯୁବକଙ୍କୁ ପୁଲିସର ମାଡ଼ ଭିଡିଓ ଭାଇରାଲ, ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି ରାହୁଲ ପିଆର୍‌

ଝାରସୁଗୁଡ଼ା: ସଟ୍‌ଡାଉନ୍‌ ବେଳେ ଜଣେ ଯୁବକଙ୍କୁ ବସ୍‌ଷ୍ଟାଣ୍ଡ ଛକରେ ଦୁଇ ଜଣ ପୁଲିସ କର୍ମଚାରୀ ମାଡ଼ ମାରୁଥିବା ଭିଡିଓ ଏବେ ସହରରେ ଭାଇରାଲ ହୋଇଛି। ଏହି ଭିଡିଓରେ ସନ୍ତୋଷ ଯାଦବଙ୍କ ପୁଅ ସଂକଳ୍ପ ଯାଦବ ବାଇକରେ ବସିଥିବା ବେଳେ ଜଣେ ପୁଲିସ କର୍ମଚାରୀଙ୍କ ସହିତ ଯୁକ୍ତି ହୋଇଥିଲା। ଏଥିରେ ହାଠାତ୍‌ ଉତକ୍ଷିପ୍ତ ହୋଇ ଦୁଇ ଜଣ ପୁଲିସ କର୍ମଚାରୀ ଉକ୍ତ ଯୁବକଙ୍କ ଗାଲରେ ଶକ୍ତ ଚାପୁଡ଼ା ଦେଉଥିବା ଦେଖା ଯାଉଛି। ଏ ସଂପର୍କରେ ଯୁବକର ବାପା ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଘଟଣା ଦିନ ପୁଅ ମାଡ଼ ଖାଇବା ପରେ ସେ ଘଟଣାସ୍ଥଳକୁ ଯାଇ ତାଙ୍କ ପୁଅର ଅପରାଧ କଣ ବୋଲି ପଚାରିଥିଲେ। ସେଠାରେ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ପଚାରିବାକୁ କହିଥିଲେ।

ତେବେ ସେଠାରେ ଥିବା ସାମ୍ବାଦିକମାନେ ତାଙ୍କ ପୁଅର ଭୁଲ ଥିବା ଦର୍ଶାଇ ସନ୍ଧ୍ୟାରେ ଥାନାରେ ଏହି ଘଟଣାର ଆଲୋଚନା କରିବା ବୋଲି କହିଥିଲେ। ସନ୍ଧ୍ୟାରେ ଥାନାରେ ବରିଷ୍ଠ ଆଇନଜୀବୀ ତାପସରାୟ ଚୌଧୂରୀ, ସନ୍ଦୀପ ଅଗସ୍ତି ତଥା ଅନ୍ୟାନ୍ୟ ଓକିଲଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲ। ଏହି ଆଲୋଚନାରେ ତାଙ୍କ ପୁଅର ଭୁଲଥିବା ଦର୍ଶାଇବାରୁ ମାମଲାକୁ ଆପୋଷ ସମାଧାନ କରାଯାଇଥିଲା। ପରେ ପୁଲିସ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ସେଥିରେ ତାଙ୍କ ପୁଅକୁ ଜଣେ ପୁଲିସ ଏସ୍‌ଆଇ ନିର୍ମମ ଭାବରେ ମାରୁଥିବା ଦେଖାଯାଇଛି। ସନ୍ତୋଷ କହିଛନ୍ତି ଯେ, ଯଦି ତାଙ୍କ ପୁଅ ଭୁଲ କରିଥିଲା।

ତେବେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାନଯାଇ ମାଡ଼ ମାରିବକୁ ପୁଲିସକୁ କିଏ ଅଧିକାର ଦେଲା‌ ବୋଲି ପ୍ରଶ୍ନ କରିଛନ୍ତି। ମାଡ଼ ମାରୁଥିବା ପୁଲିସ କର୍ମଚାରୀ ଜଣକ ନୂଆ କରି ଚାକିରୀରେ ଯୋଗ ଦେଇଥିବା ବେଳେ ତାଙ୍କ ନାମରେ ବାରମ୍ବାର ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ଉଚ୍ଚ ଅଧିକାରୀ ମାନେ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ପ୍ରତିଦିନ ଏହି କର୍ମଚାରୀ ଲୋକଙ୍କୁ ମାଡ଼ ପିଟ କରୁଥିବା ବେଳେ ଅଶୋଭନୀୟ ବ୍ୟବହାର କରି ଝାରସୁଗୁଡ଼ା ପୁଲିସର ଭାବମୂର୍ତ୍ତିଙ୍କୁ ଖରାପ କରୁଥିବା ଅଭିଯୋଗ ହୋଇଛି। କିଛି ପୁଲିସ କର୍ମଚାରୀ ମଧ୍ୟ ସଂପୃକ୍ତ କର୍ମଚାରୀଙ୍କ ଏତାଦୃଶ ଆଚରଣରେ କ୍ଷୁବ୍ଧ ହୋଇଛନ୍ତି। ଭିଡିଓରେ ମାଡ଼ ମାରୁଥିବା ସଂପୃକ୍ତ ପୁଲିସ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପୁଲିସର ଭାବମୁର୍ତ୍ତି ଅଚିରେ ନଷ୍ଟ ହେବ ଏଥିରେ ସଂଦେହ ନାହିଁ। ଏ ନେଇ ଆଇଆଇସି ସାବିତ୍ରୀ ବଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉକ୍ତ ଯୁବକ ପୁଲିସକୁ ଗାଳି କରିଥିବା ବେଳେ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଅଶ୍ଳୀଳ ଗାଳି କରିଥିଲା। ତେବେ ଏସ୍‌ପି ରାହୁଲ ପିଆର୍‌ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର