ଆର୍ଥିକ ଅଭାବ ଯୋଗୁଁ ପତି-ପତ୍ନୀଙ୍କ କଳି: ଦେହରେ କିରୋସିନି ଢାଳି ନିଆଁ ଲଗାଇଲେ ଯୁବକ, ଜଳିଗଲେ ୮୦ ପ୍ରତିଶତ

ଯାଜପୁର: ଆର୍ଥିକ ଅଭାବ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି କରିଛି। ଅର୍ଥ ରୋଜଗାର ନେଇ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଜଣେ ଯୁବକ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଛନ୍ତି। ଏଥିରେ ସେ ୮୦ ପ୍ରତିଶତ ଜଳିଯିବା ପରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦଶରଥପୁର ପଂଚାୟତରେ ଏହି ଅଭାବନୀୟ ଘଟଣା ଆଜି ଅପରାହ୍ନରେ ଘଟିଥିବା ଜଣାପଡ଼ିଛି। ନିଆଁ ଲାଗି ଜୀବନ ଓ ମୃତ୍ୟୁ ସହିତ ଲଢ଼େଇ ଜାରି ରଖିଥିବା ଯୁବକ ଜଣକ ହେଲେ ଶଙ୍କର୍ଷଣ ସାହୁ(୩୩)।

ସୂଚନା ଅନୁସାରେ ଶଙ୍କର୍ଷଣ ସାହୁ ୯ ମାସ ତଳେ ବିବାହ କରିଥିଲେ। ନାମମାତ୍ର ଚାଷୀ ହୋଇଥିବାରୁ ଘରର ଆର୍ଥିକ ସ୍ଥିତି ଭଲ ନଥିଲା। କିନ୍ତୁ ଏଥିରୁ ମୁକୁଳିବା ପାଇଁ ସେ ବିଭିନ୍ନ ବ୍ୟାଙ୍କରୁ ଋଣ କରି ଏକ ଅଟୋ କିଣିଥିଲେ। ଅଟୋ ଚଳାଇ ପରିବାର ପୋଷିବାକୁ ସେ ମନସ୍ଥ କରିଥିଲେ। କିନ୍ତୁ କରୋନା ଭାଇରସ ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ଶେଷ ସପ୍ତାହରୁ ଅଟୋ ଚଳାଚଳ ବ୍ୟାପକ ପ୍ରଭାବିତ ହୋଇଥିଲା। ଫଳରେ ଅର୍ଥ ରୋଜଗାର ପାଇଁ ବଡ଼ ପ୍ରତିବନ୍ଧକ ସାଜିଲା। ପତି ଓ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଅଶାନ୍ତି ଲାଗିରହିଲା।

ଶଙ୍କର୍ଷଣଙ୍କ ଅଟୋ ଘରେ ପଡିରହିଛି। କରୋନା ଯୋଗୁ ବେପାର ହେଉନଥିବାରୁ ଆଜି ଶଙ୍କର୍ଷଣ ଓ ତାଙ୍କର ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ଘର ଭିତରୁ କିରୋସିନି ଆଣି ନିଜ ଦେହରେ ଢାଳି ଦେଇଥିଲେ ପରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇଁ ଦଶରଥପୁର ଅଗ୍ନିଶମ ବିଭାଗ ପହଂଚି ଜଳୁଥିବା ଘରକୁ ଲିଭାଇବା ସହ ଶଙ୍କର୍ଷଣଙ୍କୁ ଉଦ୍ଧାର କରିଥିଲା।

ରିପୋର୍ଟ ଲେଖାଯିବା ବେଳକୁ ଶଙ୍କର୍ଷଣଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଶଙ୍କର୍ଷଣଙ୍କ ପିତା ଆଉ ଏକ ପରିବାର ସହିତ ରହୁଥିବା ବେଳେ ମା’ ସାଥୀରେ ଅଛନ୍ତି। ଗର୍ଭବତୀ ପତ୍ନୀ ଘରେ ଅଛନ୍ତି।

ସମ୍ବନ୍ଧିତ ଖବର