କରୋନା କାଳ ହେଲା: ଋଣବୋଝ ସହିନପାରି ଜୀବନ ହାରିଲେ 

ନଠୁଆବର/ରସୁଲପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତ ପାଳସାହି ଗ୍ରାମର ସନ୍ତୋଷ କୁମାର ସାହୁ(୩୭) ଆଜି ସକାଳେ ଶୋଇବା ଘର ଫଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଠେଲାରେ ଖାଦ୍ୟ ବିକ୍ରି କରୁଥିବା ସନ୍ତୋଷ ଋଣଭାର ସହିନପାରି ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବାହାର ରାଜ୍ୟରେ ଦାଦନ ଖଟୁଥିବା ସନ୍ତୋଷ କରୋନା ମହାମାରୀ ପୂର୍ବରୁ ଘରକୁ ଫେରି ଆସିଥିଲେ। ଧାରକରଜ କରି ଠେଲା ଗାଡ଼ିରେ ଫାଷ୍ଟଫୁଡ୍‌ ବ୍ୟବସାୟ କରୁଥିଲେ। କରୋନା ସମୟରେ ୮ମାସ କାଳ ଠେଲା ବେପାରୀଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିଲା। ବେପାର ବନ୍ଦ ହୋଇଯିବା ପରେ ସେ ଆଉ କାମଧନ୍ଦା ଅନ୍ବେଷଣରେ ବାହାରକୁ ଯାଇପାରିନଥିଲେ।

କରୋନା କଟକଣା କୋହଳ ହେବାପରେ ପୁଣି ଧାର କରଜ କରି ଠେଲା ବେପାର ଆରମ୍ଭ କରିଥିଲେ। ମାତ୍ର ବ୍ୟବସାୟ ଭଲ ନଚାଲିବାରୁ ସେ କରଜ ସୁଝି ପାରିନଥିଲେ। ଧାରକରଜକୁ ନେଇ ଅନେକ ସମୟରେ ସନ୍ତୋଷ ମାନସିକ ଚାପରେ ରହୁଥିଲେ ବୋଲି ପରିବାର ଲୋକେ କହିଛନ୍ତି। ପ୍ରକାଶ ଯେ, କରୋନା ସମୟରେ ଉଠା ଦୋକାନୀଙ୍କୁ ସରକାର ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ। ହେଲେ ସନ୍ତୋଷଙ୍କୁ କୌଣସି ସହାୟତା ମିଳିନଥିଲା। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। କୁଆଖିଆ ପୁଲିସ ଖବର ପାଇ ଶବ ଜବତ କରିବା ସହ ଥାନା କେସ୍‌ ନ˚-୨୧/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର