ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନ୍ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଜଣେ ଯୁବକ ହଠାତ୍ ଟ୍ରେନ୍ ଆଗକୁ ଡେଇଁ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଡମ୍ବରୁ ସାହୁ(୩୬) ବୋଲି ପୁଲିସ କହିଛି। ପୁଲିସ ଶବ ଜବତ କରି କେସ୍ ନମ୍ବର ୫୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜିଆର୍ପି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ନାୟକ ସୂଚନା ଦେଇଛନ୍ତି। ଟ୍ରେନ୍ ତଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବକଙ୍କ ଶବ ଫଶି ରହିଥିଲା।
ସୂଚନା ଅନୁସାରେ ସଂଧ୍ୟାରେ କିଛି ଯୁବକ ଷ୍ଟେସନ୍ର ଦୁଇ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍କୁ ଅପେକ୍ଷା କରିଥିଲେ। ସଂଧ୍ୟା ପ୍ରାୟ ୫ଟା ୫୫ମିନିଟ୍ରେ ଭୁବନେଶ୍ବର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଦୁଇ ନମ୍ବର ପ୍ଲାଟଫର୍ମରେ ପ୍ରବେଶ କରୁଥିଲା। ଏହି ସମୟରେ ହଠାତ୍ ଜଣେ ଯୁବକ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଏହା ଦେଖି ପାଇଲଟ୍ ଜଣକ ଜରୁରୀକାଳୀନ ବ୍ରେକ୍ ଦେଇ ଟ୍ରେନ୍ ସେଠାରେ ରଖି ଦେଇଥିଲେ। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଟ୍ରେନ୍ ତଳେ ଫଶି ରହିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବକ ଜଣକ ତାଙ୍କ ସମ୍ପର୍କୀୟଙ୍କ ସହିତ ଆସିଥିଲେ। ମୃତ ଯୁବକ ଡମ୍ବରୁଙ୍କ ଘର ପାଟପୁର ଥାନା ଜିଉଡ଼ା ବୋଲି ପୁଲିସ କହିଛି। ଯୁବକ ଜଣକ ଟ୍ରେନ୍ ଆଗକୁ କାହିଁକି ଡେଇଁଲେ ତାହା ସ୍ପଷ୍ଟ ହୋଇ ନାହିଁ। ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dead_body_of_youth_found_on_national_highway_in_lakhimpur_kheri_1584257493-1.jpg)