ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ହାଜତ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମୃତକଜଣକ ହେଲେ, ସିଏଚ୍.ତ୍ରିଲୋଚନ ରେଡ୍ଡୀ (୩୨)। ପାଇଖାନା ଭିତରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ତେବେ ପୁଲିସ ସୁରକ୍ଷାର ବଳୟ ଭିତରେ ତ୍ରିଲୋଚନଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ନେଇ ପୁଣି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଚମାଖଣ୍ଡି ପୁଲିସ ଶବକୁ ଜବତ କରି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଆଇନ ଅନୁସାରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଗଞ୍ଜାମ ଏସ୍.ପି. ବ୍ରିଜେଶ ରାୟ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗାଁର ସିଏଚ୍.ରାଜାରାଓ ରେଡ୍ଡୀଙ୍କ ପୁଅ ହେଉଛନ୍ତି ତ୍ରିଲୋଚନ। ସେ ବିଭିନ୍ନ ସମୟରେ ଘରେ ଗଣ୍ଡଗୋଳ କରୁଥିଲେ। ଏପରିକି ବାପା ରାଜାରାଓଙ୍କୁ ମାରପିଟ୍ କରିବାରୁ ସେ ଗତ ଅଗଷ୍ଟ ମାସରେ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ରାଜାରାଓଙ୍କ ଏତଲା କେସ୍ ନମ୍ବର ୧୬୬/୨୨ରେ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ପରିବାରବର୍ଗଙ୍କ ଅନୁରୋଧ କ୍ରମେ ପରେ ଧାରା ୪୧ ସିଆର୍ପିସିରେ ତ୍ରିଲୋଚନଙ୍କୁ ପୁଲିସ ଛାଡ଼ି ଦେଇଥିଲା। ହେଲେ ଗତକାଲି ପୁଣିଥରେ ତ୍ରିଲୋଚନ ଘରେ ଗଣ୍ଡଗୋଳ କରିଥିଲେ। ପରିବାରବର୍ଗ ଥାନାର ଦ୍ବାରସ୍ଥ ହେବା ପରେ ତ୍ରିଲୋଚନଙ୍କୁ ପୁଲିସ ଥାନାକୁ ଆଣିଥିଲା। ଆଜି ଭୋର୍ରେ ତ୍ରିଲୋଚନ ପାଇଖାନାକୁ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ସେ ବାହାରିବାରୁ ଦାୟିତ୍ବରେ ଥିବା ସେଣ୍ଟ୍ରିଙ୍କ ମନରେ ସନ୍ଦେହ ହୋଇଥିଲା। ସେ କବାଟ ଠେଲି ଦେଖିବା ବେଳେ ତ୍ରିଲୋଚନଙ୍କ ବେକରେ ଲୁଙ୍ଗି ବନ୍ଧା ହୋଇଥିଲା। ଆତ୍ମହତ୍ୟା ଉଦ୍ୟମ କରୁଥିବା ସନ୍ଦେହ କରି ତୁରନ୍ତ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତ୍ରିଲୋଚନଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/7499f87b-bdb1-4007-bf7c-a32399cb5fac.jpg)