କରୋନା ଜନିତ ଆର୍ଥିକ ମାଡ: ଜୀବନ ହାରିଲେ ଯୁବକ

ବାରିପଦା: କରୋନା ଜନିତ ଲକଡାଉନ ମାଡ଼ ଜନସାଧାରଣଙ୍କ ନିକଟରୁ ରୋଜଗାରକୁ ଛଡ଼ାଇ ନେଇଛି । ଫଳରେ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଉଛନ୍ତି ଅନେକ ଯୁବକ। ତେବେ ନିଜ ପରିବାର ଚଳାଇବାକୁ ଅକ୍ଷମ ହୋଇ ମାନସିକ ଅଶାନ୍ତିରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି ସ୍ଥାନୀୟ ୱାର୍ଡ ନଂ-୭ ଅନ୍ତର୍ଗତ ମଧୁବନ ଅଞ୍ଚଳରେ। ଏଠିକାର ବାସିନ୍ଦା ବିଷ୍ଣୁ ଚରଣ ବାରିକଙ୍କ ସାନ ପୁଅ କାର୍ତ୍ତିକ (୩୦) ଆଜି ବେକରେ ଲୁଗା ଲଗାଇ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ପରିବାରର ସଦସ୍ୟମାନେ ଏହା ଜାଣିବା ପରେ କାର୍ତ୍ତିକଙ୍କ ବେକରୁ ଲୁଗା ଖୋଲି ତୁରନ୍ତ ସ୍ଥାନୀୟ ପିଆରଏମ ହସ୍ପିଟାଲକୁ ୧୦୮ ଡାକି ନେଇଥିଲେ। ମାତ୍ର ସେଠାରେ ତାଙ୍କୁ ରିସିଭ୍ ଡେଡ୍ ଘୋଷଣା କରାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ କାର୍ତ୍ତିକ ବାରିପଦା ସହରରେ ଥିବ ଏକ ଇଲେକ୍ଟ୍ରିକ୍ ଫ୍ୟାନ ଦୋକାନରେ କର୍ମଚାରୀ ଭାବେ କାମ କରୁଥିଲେ।କରୋନାକୁ ନେଇ ଲକଡାଉନ ଫଳରେ ଦୋକାନ ବଜାର ବନ୍ଦ ହେବାରୁ ସେ ଘରେ ବସିଥିଲେ। ପାଖରେ ପଇସାପତ୍ର ନ ଥିବା କାରଣରୁ ସେ ନିଜ ଉପରୁ ସନ୍ତୁଳନ ହରାଇ ବସିଥିବା ଏବଂ କିଛି ଦିନ ହେବ ମାନସିକ ଅଶାନ୍ତି ମଧ୍ୟରେ ଗତି କରୁଥିବାର ଜାଣିବାକୁ ମିଳିଛି। ଆଚାର ବ୍ୟବହାରରେ ମଧ୍ୟ ତାଙ୍କର ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, କରୋନାକୁ ନେଇ ଲକଡାଉନ ଏହି ମଧୁବନ ଅଞ୍ଚଳର ଅନ୍ୟ ଏକ ଯୁବକ ଆତ୍ମହତ୍ୟା କରିଥିଲେ । ଗତ ଏପ୍ରିଲ ୫ରେ ସାଗର ଦେଓଘରିଆ ନିଜ ସ୍ତ୍ରୀ ଓ ଦୁଇ ସନ୍ତାନ ମୁହଁରେ ଦୁଇ ବେଳା ଆହାର ଯୋଗାଇବାରେ ଅସମର୍ଥ ହୋଇପଡ଼ିଥିଲେ । ଭୋକ ଉପବାସ ମଧ୍ୟରେ ସମୟ କଟୁ ଥିବା ବେଳେ ସ୍ତ୍ରୀ ପାଖପଡ଼ୋଶୀଙ୍କ ଘରୁ ମାଗିଯାଚି ପରିବାର ମୁହଁରେ ଆହାର ଯୋଗାଇ ଦେଉଥିଲା । କିନ୍ତୁ ଲକଡାଉନ ସମୟରେ ନିଜର ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବା ବେଳେ ସବୁ ଦିନ କିଏ ଅବା ଖାଇବାକୁ ଦେବ । ଏହି ସମୟରେ ସ୍ତ୍ରୀ ଦୁଇ ପିଲାଙ୍କ ଧରି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସାଗର ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର