ପଙ୍ଖାରେ ଝୁଲିପଡ଼ିଲେ ଯୁବକ-ଯୁବତୀ, ୫ ଦିନ ପରେ ଗଳିତ ମୃତଦେହ ଉଦ୍ଧାର କଲା ପୁଲିସ

ନିମାପଡ଼ା: କୌଣସି କାରଣକୁ ନେଇ ଯୁବକ-ଯୁବତୀ ଶେଷରେ ଉପାୟ ଶୂନ୍ୟ ହୋଇ ପଙ୍ଖାରେ ଝୁଲିପଡ଼ିଛନ୍ତି। ଘଟଣାର ୫ ଦିନ ପରେ ରବିବାର ସନ୍ଧ୍ୟାରେ ଏହା ଜଣାପଡ଼ିଛି। ସୂଚନା ଅନୁସାରେ ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ଶାସନ ଗାଁରେ କବାଟ ବନ୍ଦ ଘରୁ ପୁଲିସ ବିଶ୍ୱଜିତ ମହାନ୍ତି (୩୩) ଓ ଜଣେ ଯୁବତୀଙ୍କର ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର କରିଛି।

ବିଶ୍ୱଜିତଙ୍କ ବାପା ପ୍ରମୋଦ ମହାନ୍ତି ଓରଫ ମାଗାଙ୍କ କହିବା ଅନୁସାରେ ୫ ଦିନ ପୂର୍ବରୁ ସେ କଟକ ଯାଇଥିଲେ। ଆଜି ସେ ଫେରି ଦେଖିଲା ବେଳକୁ କବାଟ ବନ୍ଦ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ମାଗାଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ୨ଟି ଗଳିତ ମୃତଦେହ ଉଦ୍ଧାର କରିଛି। ପୁଲିସ ଘଟଣାର ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ବେଳକୁ କାରଣ ସ୍ପଷ୍ଟ ହୋଇ ପାରିନାହିଁ।

ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ବିଶ୍ୱଜିତ ପ୍ରାୟ ଏକ ମାସ ହେବ ଜଣେ ଯୁବତୀଙ୍କୁ ଆଣି ଘରେ ରଖିଥିଲା। ଏହା ପୂର୍ବରୁ ସେ ନିଜର ସ୍ତ୍ରୀକୁ ଛାଡ଼ି ଦେଇଥିଲା। ଘରେ ରଖିଥିବା ଯୁବତୀଙ୍କୁ ବିବାହ କରିବାକୁ ଯୋଜନା କରିଥିଲା। ମାତ୍ର କେଉଁ କାରଣକୁ କେନ୍ଦ୍ର କରି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର