ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରେ ଏଚ୍ଆଇଭି ରୋଗରେ ଆକ୍ରାନ୍ତ ଜଣେ ଯୁବକ ନିଜ ଦେହରେ କିରାସିନି ଢାଳିବା ପରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ନିଆଁରେ ପୋଡ଼ିଯାଉଥିବା ଦେଖି ଗାଁର ଲୋକେ ଏଚ୍ଆଇଭି ପୀଡ଼ତଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ ୪୦ ବର୍ଷିଅ ଯୁବକ ଜଣକ ବିଗତ ୩ ବର୍ଷ ହେବ ଏଚ୍ଆଇଭି ରୋଗରେ ପୀଡ଼ିତ ଥିଲେ। କିଛି ବର୍ଷ ହେବ ଯୁବକଙ୍କ ବାପା, ମା’ ଓ ଭାଇଙ୍କ ମୃତ୍ୟୁ ହୋଇଯାଇଥିବାରୁ ସେ ବେସାହାରା ହୋଇଯାଇଥିଲେ। ସେଥିପାଇଁ ସେ ଗାଁ ମୁଣ୍ଡରେ ଥିବା ଏକ ଘରେ ରହି ଆସୁଥିଲେ। ରୋଗ ଭଲ ହେଉ ନଥିବାରୁ ସେ ମାନସିକ ଚାପରେ ରହୁଥିଲେ। ସେଥିପାଇଁ ବଂଚିବାକୁ ଚାହୁଁ ନ ଥିଲେ ଓ ଶେଷରେ ଗୁରୁବାର ଅପରାହ୍ନ ୩ଟାରେ ନିଜ ଦେହରେ କିରାସିନି ଢାଳିବା ପରେ ନିଆଁ ଲଗାଇ ଦେଇଥିଲେ। ଯୁବକଙ୍କ ଦେହ ଶତପ୍ରତିଶତ ପୋଡ଼ି ଯାଇଥିଲା।