ବୀରମହାରାଜପୁରର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଚେକ୍‌ଗେଟ୍‌ ନିକଟରେ ଛିଡ଼ା ହୋଇଥିବା ଜଣେ ମନ୍ଦିର ପୂଜକଙ୍କ ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି। ମୃତ ମନ୍ଦିର ପୂଜକ ହେଲେ ସୁବଳୟା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ନାରାୟଣ ଖମାରୀଙ୍କ ପୁଅ ମଙ୍ଗୁଲୁ ଖମାରୀ (୪୪)।

Advertisment

ସୂଚନାମତେ ମଙ୍ଗୁଳୁ କୌଣସି କାମରେ କମିରା ଛକ ଅଞ୍ଚଳକୁ ଯାଇ ଘରକୁ ଫେରୁଥିଲେ। ସେ ସୁରୁବାଲି ଯୋର ପୋଲ ନିକଟରେ ଥିବା ସୁବଳୟା ଚେକ୍‌ଗେଟ୍‌ ନିକଟସ୍ଥ ରାସ୍ତାକଡରେ ଠିଆ ହୋଇଥିଲେ। ବୀରମହାରାଜପୁର ପାର୍ଶ୍ବରୁ ଗରିଆମୁଣ୍ଡା ରାସ୍ତାରେ ରେଢାଖୋଲ ଆଡକୁ ଦ୍ରୁତଗତିରେ ଯାଉଥିବା ଟ୍ରକ୍‌ (ସିଜି ୦୪ ଏନଏମ ୫୫୮୯) ମଙ୍ଗୁଳୁଙ୍କ ଉପରେ ମାଡ଼ି ଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ମଙ୍ଗୁଳୁଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୁବଳୟା ପୁଲିସ ଗରିଆମୁଣ୍ଡାରୁ ଟ୍ରକ୍‌କୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ସୁବଳୟା ଥାନରେ କୌଣସି ମାମଲା ରୁଜୁ ହୋଇ ନ ଥିବ ଜଣାପଡିଛି। ମୃତ ମଙ୍ଗୁଳୁ ସୁବଳୟା ଗୋପେଶ୍ବର ମହାଦେବ ମନ୍ଦିର ପୂଜକ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ପରିବାରରେ ସ୍ତ୍ରୀ ଓ ୨ବର୍ଷ ୬ମାସର ଏକ ପୁତ୍ର ସନ୍ତାନ ଅଛନ୍ତି। ଘଟଣାଟି ସୁବଳୟା ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।