ବୈପାରିଗୁଡ଼ା: ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯିବାରୁ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳର ବୋଦାପୁଟ ପଞ୍ଚାୟତ ଅନ୍ତର୍ଗତ ଚିକିମା କୁରକୁଟି ଗ୍ରାମର ମନୋହର ଗୌଡ଼ଙ୍କ ପୁଅ ବନମାଳୀ ଗୌଡ଼ (୨୨) ଆଜି ମଧ୍ୟାହ୍ନରେ ଗାଆଁ ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ବନମାଳିଙ୍କ ସହ କିଛି ପିଲା ମଧ୍ୟ ଯାଇଥିଲେ ମଧ୍ୟ ବନମାଳି ଏକାକୀ ଗାଧୋଇବା ପାଇଁ ପାଣି ଭିତରକୁ ପଶିଥିଲେ। ସେ ପାଣିରୁ ବାହାରିବା ଡେରି ହେବାର ଦେଖି ଗାଆଁର ଏକ ଚା ଦୋକାନରେ ଜଣାଇଥିଲେ। ଖବର ପାଇ ଗ୍ରାମବାସୀ ପୋଖରୀ କୂଳରେ ପହଞ୍ଚି ବନମାଳିଙ୍କୁ ନ ପାଇ ବୈପାରିଗୁଡା ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀର ଓଆଇସି ଉମେଶ ଚନ୍ଦ୍ର ବାଗ, ହାବିଲଦାର ପି.କେ. ସାହୁ, ଗାଡ଼ି ଚାଳକ ଏସ୍.କେ. ହଲ୍ଓ୍ବା, ଏମ୍.ଡି. ଶବର, ଆର୍.କେ. ପ୍ରଧାନ, ଏସ୍. ନାୟକ, ଜି. ହିକିମ୍, ଜିଆର୍. ସାହୁ ପୋଖରୀରୁ ବନମାଳିଙ୍କ ମୃତଦେହ ଉଦ୍ଧାର କରିଥିଲେ। ବନମାଳିଙ୍କ ବାପା ମନୋହର ଗୌଡ଼ ବୈପାରିଗୁଡା ଥାନାରେ ଏତଲା ଦେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ। ଏହି ଘଟଣା ଜାଣିବା ପରେ ଗାଆଁରେ ଶୋକର ଛାୟା ଖେଳିଯାଇଛି।