ସଇନ୍ତଳା: ସମ୍ବଲପୁର ସମଲେଶ୍ବରୀ ମନ୍ଦିର ଦର୍ଶନ ପାଇଁ ନବରଙ୍ଗପୁର ଜିଲ୍ଲା ମାଝୀଗୁଡ଼ାରୁ କାର୍‌ ଯୋଗେ ଶନିବାର ରାତିରେ ବାହାରିଥିଲେ। ଜାତୀୟ ରାଜପଥ-୨୬ ଅନ୍ତର୍ଗତ ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ କନ୍ଧକେଲଗାଁ ପଞ୍ଚାୟତ ମନମୁଣ୍ତା ଛକ ନିକଟରେ ଏକ ଟ୍ରକ୍‌ ଧକ୍କା ଦେବାରୁ ବାଲ୍ମୀକି ବିଶୋଇ (୩୮ବର୍ଷ)ଙ୍କ ମୃତ୍ୟୁ ଘଟିଛି।

Advertisment

ପୁଲିସର ସୂଚନା ଅନୁସାରେ, ମାଝୀଗୁଡ଼ାର ବାଲ୍ମୀକି ପରିବାର ସହ କାର୍‌ (ଓଡି ୦୨ ଏଏଲ୍‌ ୪୭୫୪) ଯୋଗେ ଶନିବାର ରାତିରେ ସମ୍ବଲପୁର ଅଭିମୁଖେ ବାହାରିଥିଲେ। ନବବର୍ଷ ସକାଳୁ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ପାଇଁ ଯୋଜନା କରିଥିଲେ। ରାତି ପ୍ରାୟ ୩ଟାରେ ମନମୁଣ୍ତା ଛକ ନିକଟରେ କାର୍‌ର ଚକ ପଞ୍ଚର ହୋଇଥିଲା। ଚାଳକ ଚକ ବଦଳାଉଥିବା ବେଳେ ଶ୍ରୀ ବିଶୋଇ ମୋବାଇଲ ଯୋଗେ ଲାଇଟ ଦେଖାଉଥିଲେ। ଏହି ସମୟରେ ବଲାଙ୍ଗୀର ପଟରୁ ଯାଉଥିବା ଟ୍ରକ୍‌ (ଟିଏନ୍‌ ୭୦ ଜେ ୩୨୨୬) ତାଙ୍କ ଉପରେ ମାଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ବିଶୋଇଙ୍କୁ ତୁରନ୍ତ ସଇନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିଲା। ସଇନ୍ତଳା ଥାନା ପୁଲିସ ଟ୍ରକ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ସ୍ବର୍ଗତ ବିଶୋଇଙ୍କର ତିନି ଛୋଟଝିଅ ଥିବା ପରିବାର ସୂତ୍ରରୁ ପ୍ରକାଶ।