ସାପ କାମୁଡ଼ିବା ପରେ ଶିବ ମନ୍ଦିରରେ ଅଧିଆ ପଡ଼ିଲେ ଯୁବକ, ବିଳମ୍ବରେ ହସ୍ପିଟାଲରେ ଭର୍ତ୍ତି ହେବାରୁ ମୃତ୍ୟୁ

ଅନୁଗୁଳ: ସଦର ବ୍ଲକ ଅନ୍ତର୍ଗତ ଗଡ଼ତରାସ ଗ୍ରାମର ଭୋଗଲା ଗୋଚ୍ଛାୟତ (୨୪) ନାମରେ ଜଣେ ଯୁବକଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଗତକାଲି ରାତି ୧୧ଟା ବେଳକୁ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ପରିବାର ଲୋକେ ସଂପୃକ୍ତ ଯୁବକଙ୍କୁ ଗାଁର ଶିବ ମନ୍ଦିରକୁ ନେଇଥିଲେ। ସେଠାରେ ବହୁ ସମୟ ରଖିବା ପରେ ଯୁବକ ଜଣକ ଅଧିକ ଗୁରୁତର ହୋଇଥିଲେ। ପରେ ତାଙ୍କୁ ହସ୍‌ପିଟାଲ ନିଆଯାଇଥିଲା।

ସୂଚନା ଅନୁସାରେ ଭୋଗଲା ଗୋଚ୍ଛାୟତଙ୍କୁ ସାପ କାମୁଡ଼ିବା ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା କରିଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନା ନନେଇ ପ୍ରଥମେ ଶିବ ମନ୍ଦିରକୁ ନେଇଥିଲେ। ଫଳରେ ଭୋଗଲାଙ୍କ ଶରୀର ବିଷାକ୍ତ ହୋଇଯାଇଥିଲା।

ଆଜି ସକାଳ ୬ଟା ବେଳକୁ ଭୋଗଲାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଯୁବକ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ବିଜ୍ଞାନ ଯୁଗରେ ସାପ କାମୁଡ଼ାରେ ଆହତ ଯୁବକଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ମନ୍ଦିରରେ ସୁସ୍ଥ ହେବା ଭଳି ଅନ୍ଧ ବିଶ୍ୱାସ ଏବେ ମଧ୍ୟ ସମାଜରେ ରହିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର