କେନାଲରେ ଗାଧୋଇବା କାଳ ହେଲା: ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବନ୍ତଳା: ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମରୁ ବାହାରିଥିବା ଏକ କେନାଲରେ ଗାଧୋଇବା ବେଳେ ବୁଡ଼ିଯିବାରୁ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅବିନାଶ ତ୍ରିପାଠୀ(୨୫)।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ସହର ହାଉସିଂ ବୋର୍ଡ ନିକଟରେ ରହୁଥିବା ଅବିନାଶ ଆଜି ଦିନ ବେଳା କେତେଜଣ ସାଙ୍ଗଙ୍କ ସହ ଡେରେଜାଙ୍ଗ ଡ୍ୟାମକୁ ବୁଲିବାକୁ ଆସିଥିଲେ। ଏଠାରେ ଥିବା କେନାଲରେ ସେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗମାନେ ଅବିନାଶଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ସଫଳ ହୋଇ ପାରି ନଥିଲେ। ସେମାନେ ଏହି ଘଟଣା ସମ୍ପର୍କରେ ଅନୁଗୁଳ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଯୁବକକୁ ଖୋଜାଖୋଜି କରିଥିଲା।

ତେବେ ଅପରାହ୍ନ ୪ଟା ବେଳେ କେନାଲ ମଧ୍ୟରୁ ଅବିନାଶଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସଦର ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର