ଘୁ. ଉଦୟଗିରି: ନିଜ ଅଞ୍ଚଳ କିମ୍ବା ନିଜ ରାଜ୍ୟରେ କାମଧନ୍ଦା ଅଭାବରୁ ସ୍ଥାନୀୟ ଅଞ୍ଚଳର ଶହଶହ ଯୁବକଯୁବତୀ ଦାଦନ ମୁଁହା। ଓଡ଼ିଶା ବାହାରେ ଦାଦନ ଖଟୁଛନ୍ତି। ନିଜ ଭିଟାମାଟି ଛାଡି ସୁଦୂର କେରଳ, ବେଙ୍ଗାଲୁରୁ, ଚେନାଇ, ସୁରାଟ, ମୁମ୍ବାଇ ଭଳି ସ୍ଥାନକୁ ଯାଇ ଦାଦନ ଖଟି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ବିଭିନ୍ନ ସମୟରେ ଦାଦନ ଦୁଃଖ ଖବର ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି। କେତେବେଳେ କିଏ କେଉଁ ପରିସ୍ଥିତିରେ ମୃତ୍ୟୁବରଣ କରି ନିଜ ଜନ୍ମ ମାଟିକୁ ଶବ ହୋଇ ଫେରୁଥିବା ଦେଖିବାକୁ ମିଳୁଛି।ସ୍ଥାନୀୟ ଅଞ୍ଚଳରେ ଚଳିତ ବର୍ଷ ବହୁ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ପୁଣି ସ୍ଥାନୀୟ ଅଞ୍ଚଳର ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜ୍ୟ ବାହାରକୁ କାମ କରିବା ପାଇଁ ଯାଇ ସେଠାରେ ଜୀବନ ହାରିଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁସାରେ ଗତ ୧୫ ଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କିରାମାହା ଗ୍ରାମର ରହିତ ପ୍ରଧାନ( ୩୮) ନାମକ ବିବାହିତ ଯୁବକ କେରଳର ଏର୍ଣ୍ଣାକୁଲମ ଜିଲ୍ଲାର କିଚଲପଡି ଗ୍ରାମ ପୋଷ୍ଟ ପେଟାଲରେ ଥିବା ସିଗମା ପ୍ଳାଏବୋଡ କମ୍ପାନିରେ କାମ କରିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ତାଙ୍କୁ ରହିବା ପାଇଁ ଦେଇଥିବ ଘରେ ସେ କୌଣସି କାରଣରୁ ଜୀବନ ହାରିଥିବା ସୂଚନା ରହିଛି। ତେବେ ଉକ୍ତ କମ୍ପାନି ଅଧିକାରୀ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ଘଟଣାସ୍ଥଳରେ ମୃତକଙ୍କ ସାନ ଭାଇ ଅନନ୍ତ ପ୍ରଧାନ ଖବର ପାଇ ସ୍ଵାସ୍ଥ୍ୟ କେନ୍ଦ୍ର ପହଞ୍ଚିଥିଲେ ଓ ପରିବାରକୁ ଖବର ଦେଇଥିଲେ।
ତେବେ ତାଙ୍କ ସ୍ତ୍ରୀ ଅନୁସରୀ ପ୍ରଧାନ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ଶବ ଫେରାଇ ଆଣିବା ନିମନ୍ତେ। ତେବେ ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଗଲା ପରେ ଶବକୁ ହସ୍ତାନ୍ତରିତ କରାଯିବ ବୋଲି ସୂଚନା ଥିବା ବେଳେ ସ୍ଥାନୀୟ ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଲା ପ୍ରଧାନ, ସମାଜସେବୀ ମହମ୍ମଦ ଜିଆଉଦ୍ଦିନ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ କରିବା ସହ ଶ୍ରମ ଅଧିକାରୀଙ୍କୁ ମଧ୍ୟ ସାକ୍ଷାତ କରି ଶବ ଫେରାଇ ଆଣିବାକୁ ଆଲୋଚନା କରିଥିବା ସୂଚନା ରହିଛି। ପରିବାର ଲୋକ ସୁଦୂର କେରଳରୁ ଶବ ଆଣିବାକୁ ସକ୍ଷମ ନ ଥିବା ବେଳେ କିପରି ଶବ ଅଣାଯାଇ ପାରିବ ତାକୁ ନେଇ ଚିନ୍ତାରେ ପରିବାର।