ନାବାଳିକା ଦୁଷ୍କର୍ମ ମାମଲାରେ ଯୁବକକୁ ୧୦ ବର୍ଷ କାରାଦଣ୍ଡ

ଯାଜପୁର: ଛଅ ବର୍ଷ ପୂର୍ବରୁ ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଯାଜପୁର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅଭିଯୋଗର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଜ୍ଞାନେନ୍ଦ୍ର ବାରିକ ଆସାମୀକୁ ୩୭୬(୨) ଓ ୫୧୧ ଦଫାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି। ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜର୍ଜ ଏହି ଶୁଣାଣି କରିଛନ୍ତି।

ସୂଚନା ଅନୁସାରେ ଧର୍ମଶାଳା ଥାନା ଜୟସିଙ୍ଗୁଡ଼ା ଅଞ୍ଚଳରେ ନାବାଳିକା ପଡ଼ିଶା ଘରକୁ ଟିଭି ଦେଖିବାକୁ ଯାଇଥିଲା। ତେବେ ସଂଧ୍ୟାରେ ଲାଇନ ପଳାଇବାରୁ ନାବାଳିକା ସେଦିନ ଘରକୁ ପଳାଇ ଆସୁଥିଲା। ଏହି ସମୟରେ ଗ୍ରାମର ଅମରେଶ ପଣ୍ଡା(୩୦) ନାବାଳିକାକୁ, ଯାହାଙ୍କ ଘରେ ଟିଭି ଦେଖୁଥିଲା ତାଙ୍କ ଦ୍ଵିତୀୟ ମହଲା ଅର୍ଦ୍ଧ ନିର୍ମିତ କୋଠାଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା।

ତେବେ ଏନେଇ ଝିଅ ପରିବାର ଲୋକଙ୍କୁ ଜଣାଇବା ପରେ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରଥିଲା। ସୂଚନାଯୋଗ୍ୟ, ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ରାଜୀବ ମହାନ୍ତି ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର