ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ବିଶରପୁର ଗ୍ରାମର କାଶିନାଥ ବେହେରା (୪୫) ନାମକ ଜଣେ ଯୁବକ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏହି ମାମଲାରେ ପୁଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି । ଟାଙ୍ଗିଆ ଚୋଟରେ କାଶୀନାଥଙ୍କ ହାତରେ ଗଭୀର ଭାବେ କ୍ଷତାକ୍ତ ହୋଇଛି । ପରିବାର ଲୋକ କାଶୀନାଥଙ୍କୁ ତୁରନ୍ତ ଚିକିତ୍ସା ଲାଗି ଅଡ଼ଶପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ଉକ୍ତ ଗ୍ରାମର ନିରଞ୍ଜନ ଭଟ୍ଟ ତାଙ୍କୁ ଆକ୍ରମଣ କରିଥିବା ନେଇ ସେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ବାଲିଅନ୍ତା ଥାନା ପୁଲିସ ଗ୍ରାମରେ ପହଞ୍ଚି ନିରଞ୍ଜନଙ୍କୁ ଥାନା‌କୁ ନେଇ ଅଟକ ରଖି ପଚରାଉଚରା କରୁଛି ।

Advertisment

ପୁଲିସ ସୂଚନା ମୁତାବକ ନିରଞ୍ଜନ ଜଣେ ମାନସିକ ବିକୃତ ଲୋକ । ଆଜି ସେ   ଅପରାହ୍ନରେ ନିଶାଗ୍ରସ୍ତ ଅବସ୍ଥାରେ ଟାଙ୍ଗିଆ ଧରି ଗ୍ରାମରେ ଅଶ୍ଳୀଳ ଭାଷ‌ାରେ ଗାଳିଗୁଲଜ କରିଥିଲା । କାଶିନାଥ ଗାଁ ଭିତରେ ଏମିତି ନକରିବା ପାଇଁ ତାଙ୍କୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିରଞ୍ଜନ ଟାଙ୍ଗିଆରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଫଳରେ କାଶିନାଥ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ପରିବାର ଲୋକ ଖାଶିନାଥଙ୍କୁ ଉଦ୍ଧାର କରି ହସ୍ପିଟାଲ‌ ନେଇଯାଇଥିଲେ ।