ପ୍ରାତଃ ଭ୍ରମଣ ସମୟରେ ଯୁବକଙ୍କୁ ଅପହରଣ; ରାୟଗଡ଼ାରୁ ଉଦ୍ଧାର କଲା ପୁଲିସ୍, ଦୁର୍ବୃତ୍ତ ଫେରାର୍

 ଅପହରଣ ପଛରେ ବ୍ୟବସାୟିକ ଶତ୍ରୁତା ସନ୍ଦେହ, ବିଷମକଟକ ଥାନାରେ ପହଞ୍ଚି ତଦନ୍ତ କଲେ ଏସପି

ରାୟଗଡ଼ା: ବ୍ୟବସାୟୀକ ଶତ୍ରୁତାକୁ କେନ୍ଦ୍ର କରି ପ୍ରାତଃ ଭ୍ରମଣ ସମୟରେ ବିଷମକଟକ ଅଞ୍ଚଳର ବିଦ୍ୟାଧର ପ୍ରଧାନୀ (୫୨) ଅପହରଣର ଶିକାର ହୋଇଛନ୍ତି। ପୁଲିସର ଛାନଭିନ୍ ପରେ ଅପହରଣର ୯ ଘଣ୍ଟା ପରେ ରାୟଗଡ଼ା ବସଷ୍ଟାଣ୍ଡରୁ ବିଦ୍ୟାଧରଙ୍କୁ ପୁଲିସ୍ ଉଦ୍ଧାର କରିଛି। ଅପହରଣ ପଛରେ ବ୍ୟବସାୟୀକ ଶତ୍ରୁତା ସହ ଅନ୍ୟ କିଛି କାରଣ ଥିବାରୁ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ବିଷମକଟକ ଥାନାରେ ପହଞ୍ଚି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଫେରାର ଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି।

ବିଷମକଟକ ହେମଗିରି ସାହିର ବିଦ୍ୟାଧର ଭୋର୍ ୫ଟାରେ ପ୍ରାତଃ ଭ୍ରମଣରେ ବାହାରିଥିଲେ। ବିଷମକଟକ-ଡୁକୁମ ରାସ୍ତ‌ାରେ ବିଦ୍ୟାଧର ଚାଲି ଚାଲି ଯାଉଥିବା ବେଳେ ରତାଟିକିରି ଗାଁ ନିକଟରେ କିଛି ଦୁର୍ବୃତ୍ତ ଏକ ଟାଟା ମ୍ୟାଜିକ୍ ଭ୍ୟାନରେ ଉଠାଇ ନେଇଥିଲେ। ଘଟଣାସ୍ଥଳରୁ କିଛି ଦୂରରେ ଥିବା ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ ଅପହରଣ ସଂପର୍କରେ ବିଦ୍ୟାଧରଙ୍କ ପରିବାର ଲୋକଙ୍କୁ ଅବଗତ କରିବା ପରେ ଝିଅ ସରିତା ପ୍ରଧାନୀ ନିଜ ସଂପର୍କୀୟଙ୍କ ସହ ଡୁକୁମ ରାସ୍ତା ଅଭିମୁଖେ ଯାଇ ଖୋଜାଖୋଜି କରିଥିଲେ। ସକାଳ ୭ଟା ୧୫ ମିନିଟରେ ଅଜଣା ନମ୍ବରରୁ ବିଦ୍ୟାଧର ଘରକୁ ଫୋନ୍ କରିଥିଲେ। ବ୍ୟସ୍ତ ହୁଅନି ମୁଁ ଫେରି ଆସିବି ବୋଲି ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ବିଦ୍ୟାଧର ଭୟଭୀତ ଅବସ୍ଥାରେ ଥିବା ଜାଣି ପରିବାର ଲୋକ ଏ ନେଇ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ପରିବାର ଲୋକ ଥିବା ସମୟରେ ପୁଣି ବିଦ୍ୟାଧର ଫୋନ୍ କରି ୨ ଘଣ୍ଟା ଭିତରେ ଘରକୁ ଫେରିବି ବୋଲି କହିବା ସହ ମାମଲା ରୁଜୁ ନ କରିବାକୁ କହିଥିଲେ। ବିଦ୍ୟାଧରଙ୍କ କଥାକୁ ନେଇ ପୁଲିସ୍ ଦ୍ବନ୍ଦ୍ବରେ ପଡ଼ିବା ପରେ ମୋବାଇଲ୍ ଟ୍ରାକିଂ କରିଥିଲା। ସକାଳ ୯ଟା ୧୫ ମିନିଟରେ ବିଦ୍ୟାଧର କଥା ହେଉଥିବା ଅଜଣା ମୋବାଇଲର ଲୋକେସନ୍ ଜେକେପୁର ଅଞ୍ଚଳରେ ଦେଖାଇବା ପରେ ପୁଲିସ୍ ଟିମ୍ ବିଭିନ୍ନ ଗାଡ଼ି ଗୁଡ଼ିକ ଯାଞ୍ଚ କରିବା ଆରମ୍ଭ କରିଥିଲା।

ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ଏସଆଇ ମାନସ ସାହୁ, ଶିବ ଶଙ୍କର ସାହୁଙ୍କୁ ନେଇ ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ କରିଥିଲା। ରାୟଗଡ଼ା ସହରର ୩ ପ୍ରବେଶ ପଥରେ ନାକାବନ୍ଦୀ ଲାଗିଥିବାରୁ ଦୁର୍ବୃତ୍ତମାନେ ଭୟଭୀତ ହୋଇ ବିଦ୍ୟାଧରକୁ ରାୟଗଡ଼ା ବସଷ୍ଟାଣ୍ଡ୍ ନିକଟରେ ଛାଡ଼ି ଦେଇ ଫେରାର ହୋଇ ଯାଇଥିଲେ। ପୁଲିସ୍ ଟିମ୍ ବିଦ୍ୟାଧରକୁ ବସଷ୍ଟାଣ୍ଡରୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା କରିଥିଲା। ଅତିରିକ୍ତ ଏସପି ଅନନ୍ତ ମହାନ୍ତି ବିଦ୍ୟାଧରଙ୍କୁ ଅପହରଣ ପଛର ରହସ୍ୟ ପଚାରିଥିଲେ। କିନ୍ତୁ କାରଣ କିମ୍ବା ଦୁର୍ବୃତ୍ତଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦେଇପାରିନଥିଲେ ବିଦ୍ୟାଧର। ବିଦ୍ୟାଧର ଭୟଭୀତ ଅବସ୍ଥାରେ ଥିବାରୁ କିଛି ସମୟ ବିଶ୍ରାମ ନେବାକୁ ପୁଲିସ୍ ପରାମର୍ଶ ଦେଇଥିଲା।

ବିଦ୍ୟାଧରଙ୍କ ଝିଅ ସରିତା ଓ ସଂପର୍କୀୟ ରାୟଗଡ଼ା ଥାନାରେ ପହଞ୍ଚି ବିଦ୍ୟାଧରଙ୍କୁ ସାକ୍ଷାତ କରିବା ପରେ ବିଷମକଟକ ପୁଲିସ୍ ସହାୟତାରେ ନିଜ ଘରକୁ ଫେରିଯିବା ପାଇଁ ବିଦ୍ୟାଧର ପୁଲିସକୁ ଅନୁରୋଧ କରିଥିଲେ।  ତେବେ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ଏଥିରେ କିଏ ସଂପୃକ୍ତ ସେ ନେଇ କୌଣସି ସଠିକ୍ ତଥ୍ୟ ବର୍ତମାନ ସୁଦ୍ଧା ପୁଲିସକୁ ମିଳିପାରିନି। ବିଦ୍ୟାଧର ମୁହଁ ଖୋଲିଲେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ବ୍ୟବସାୟୀକ ଓ ଜମିଜମା ବିବାଦ ଦୁଇଟି କାରଣକୁ ନେଇ ପୁଲିସ୍ ତଦନ୍ତ କରୁଛି। ଜମିଜମା ବିବାଦ ସଂପର୍କିତ ମାମଲାର ଶୁଣାଣି ଆଜି ବିଷମକଟକ କୋର୍ଟରେ ଥିବାରୁ ଏହା ପୂର୍ବରୁ ଦୁର୍ବୃତ୍ତମାନେ ବିଦ୍ୟାଧରଙ୍କୁ ଅପହରଣ କରିଥିଲେ ନା ବିଦ୍ୟାଧର ନିଜେ କୁଆଡ଼େ ଚାଲି ଯାଇଥିଲେ ତାହାର ତଦନ୍ତ କରୁଛି ପୁଲିସ୍।

ସମ୍ବନ୍ଧିତ ଖବର