ବଣ୍ଡାଘାଟିରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଦୁର୍ଗମ ପାହାଡ ଘେରା ବଣ୍ଡାଘାଟିରେ ଏକ ଅଭାବନୀୟ ଘଟଣା ଘଟିଛି। ଅଣ୍ଡ୍ରାହାଲରେ ବିଦ୍ୟୁତ ଆଘାତରେ ଜଣକର ଅକାଳରେ ପ୍ରାଣ ଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଘନ ଘନ ବିଦ୍ୟୁତ କାଟ ହେଉଥିବାରୁ ମାଲକାନଗିରିବାସୀ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଦୁର୍ଗମ ବଣ୍ଡାଘାଟିରେ ବିଦ୍ୟୁତ ଗଲେ ଦିନ ଦିନ ଆସେ ନାହିଁ। ତେବେ ଗତକାଲି ରାତିରେ ବିଦ୍ୟୁତ କଟିଯିବା ଫଳରେ ସ୍ଥାନୀୟ ଅଣ୍ଡ୍ରାହାଲର ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଭାବେ କାମ କରୁଥିବା ଭୀମା ବାତ୍ରୀ(୩୬) ନିକଟରେ ଥିବା ଟ୍ରାନସଫରମରକୁ ଯାଇ ଫ୍ୟୁଜ ପକାଉଥିବା ବେଳେ ହଠାତ ବିଦ୍ୟୁତ ଆସିଯିବା ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା। ଏହି ଖବର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।

ଆଜି ଏନେଇ ମୁଦୁଲିପଡା ଥାନାରେ ଏତଲା ଦାୟର କରାଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଥିବା ଜଣାପଡିଛି। ଅନ୍ୟଦିଗରେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ କୌଣସି ଖବର ତାଂକ ନିକଟରେ ନଥିବା କହିଥିଲେ। ଭୀମ ଜଣେ ଗରିବ ବଣ୍ଡା ସଂପ୍ରଦାୟର ଲୋକ ହୋଇଥିବା ବେଳେ ପିଅନ କାମ କରି ସ୍ବଳ୍ପ ଦରମାରେ ପରିବାର ପ୍ରତିପୋଷଣ କରୁଥିଲା। ଭୀମାର ପତ୍ନୀ ଏବଂ ତିନି ଝିଅ ଅଛନ୍ତି। ଏବେ ଭୀମାର ମୃତ୍ୟୁ ପରେ ପରିବାର ଲୋକେ କିପରି ଚଳିବେ ସେନେଇ ଚିନ୍ତାରେ ପଡିଛନ୍ତି। ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାନଗଲେ ଏହି ପରିବାର ବହୁ ହଇରାଣ ହେବେ ବୋଲି କୁହାଯାଇଛି। ବିଦ୍ୟୁତ ବିଭାଗ ମଧ୍ୟ ଏହାର ତଦନ୍ତ କରି ସହଯୋଗ କରିବାପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର