ଦେବଗଡ଼: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ଓ ସଂପର୍କୀୟ ମାମୁଁ ମିଶି ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡା। ଉକ୍ତ ଘଟଣାରେ ଦେବଗଡ ଥାନା ପୁଲିସ ଭିଣୋଇ ସିଙ୍ଗରାଇ ମୁଣ୍ଡା ଓ ସଂପର୍କୀୟ ମାମୁଁ କାଇରା ଲୁହୁରାକୁ ଗିରଫ କରିଛି। ଏହାସହିତ ଘଟଣାସ୍ଥଳରେ ଆଜି ଦେବଗଡ ଥାନା ପୁଲିସ ଏବଂ ସାଇଣ୍ଟିଫିକ ଟିମ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡା ନାମକ ଜଣେ ଯୁବକଙ୍କ ବଡ ଭଉଣୀ ଜେମା ମୁଣ୍ଡାଙ୍କୁ ସିଙ୍ଗରାଇ ମୁଣ୍ଡା ନାମକ ଜଣେ ବ୍ୟକ୍ତି ତିନି ବର୍ଷ ତଳେ ଭଲପାଇ ଦ୍ବିତୀୟ ସ୍ତ୍ରୀ ଭାବରେ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ବର୍ଷକ ତଳେ ଜେମାଙ୍କ ବାପାର ମୃତ୍ୟୁ ହେବା ପରେ ସେ ନିଜ ଘରକୁ ଶୁଦ୍ଧି କ୍ରିୟା ରେ ଯୋଗଦାନ କରିବାକୁ ଆସିଥିଲେ। ଶୁଦ୍ଧିକ୍ରିୟା ପରେ ଜେମା ଆଉ ସ୍ବାମୀ ସିଙ୍ଗରାଇ ସହ ନ ଯାଇ ଅନ୍ୟ ଜଣେ ଯୁବକଙ୍କ ସହ ପୁଅକୁ ସାଙ୍ଗରେ ନେଇ ଫେରାର ହୋଇଯାଇଥିଲେ। ପରେ ଜେମା ଦ୍ବିତୀୟ ସ୍ବାମୀ ସହିତ ଆସି ଗାଁ ରେ ରହୁଥିଲେ। ଗତ ୩ ତାରିଖ ଦିନ ଜେମା ଓ ତାଙ୍କ ମାଆ ମିଶି ରମେଶଙ୍କୁ ସିଙ୍ଗରାଇଙ୍କ ଘରକୁ ପଠାଇଥିଲେ। ସିଙ୍ଗରାଇଙ୍କ ଔରସରୁ ଜନ୍ମ ହୋଇଥିବା ଶିଶୁପୁତ୍ରକୁ ସେ ନେଇଯିବା ପାଇଁ ରମେଶ ତାଙ୍କୁ କହିଥିଲେ ।
ଏହି ଘଟଣାକୁ ନେଇ ରମେଶ ଓ ସିଙ୍ଗରାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ସିଙ୍ଗରାଇ ଓ ତାର ସହଯୋଗୀ ତଥା ସଂପର୍କୀୟ ମାମୁଁ କଇରା ଲୁହୁରା ମିଶି ରମେଶକୁ ନିକଟସ୍ଥ ପାହାଡ଼ ଉପରକୁ ନେଇ ମଦ ପିଆଇବା ପରେ ଇଟାରେ ଛେଚି ଛେଚି ମାରି ଦେଇଥିଲେ। ରମେଶକୁ ମାରିବା ପରେ ପାହାଡ ଉପରେ ତାର ଶବକୁ ଫିଙ୍ଗି ଦେଇ ଡାଳ ପତ୍ର ଘୋଡାଇ ଚାଲିଆସିଥିଲେ।
ଏପଟେ ପୁଅ ରମେଶ ଘରକୁ ନଫେରିବାରୁ ତାଙ୍କ ମା’ ଏନେଇ ଦେବଗଡ ଆଦର୍ଶ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଜଙ୍ଗଲରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇ ରମେଶର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ବେଳେ ନିଖୋଜ ରମେଶଙ୍କୁ ସିଙ୍ଗରାଇ ଓ ତାଙ୍କ ସଂପର୍କୀୟ ମାମୁଁ କଇରା ମିଶି ମାରି ଦେଇଥିବା ଜଣାପଡିଥିଲା। ରବିବାର ଦିନ ପାହାଡ ଉପରେ ଜଙ୍ଗଲ ମଧ୍ୟରୁ ରମେଶ ଙ୍କ ଶବ ଠାବ କରାଯାଇଥିଲା । ଶବ ମିଳିବା ପରେ ଆଜି ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁସନ୍ଧାନ କରିଥିଲେ । ଘଟଣାସ୍ଥଳରୁ ରମେଶ ଙ୍କ ମୋବାଇଲ ଫୋନକୁ ଭଙ୍ଗାରୁଜା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଦେବଗଡ ଆଦର୍ଶ ଥାନା ପୁଲିସ ଅଭିଯୁକ୍ତ ସିଙ୍ଗରାଇ ଓ କଇରାକୁ ଗିରଫ କରିଛି । ଏଥିସହ ହତ୍ୟା କାଣ୍ଡରେ ବ୍ୟବହୃତ ଇଟାକୁ ଜବତ କରିଛି ପୁଲିସ ।