ସମ୍ବଲପୁର: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗଳାକାଟି ହତ୍ୟା

ସମ୍ବଲପୁର: ପୁଣିଥରେ ସମ୍ବଲପୁର ସହରରେ ସ୍ପଷ୍ଟ ଦିବା ଲୋକରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଅତି ସମ୍ବେଦନଶୀଳ ଅଇଁଠାପାଲି ଥାନା ଫାଟକ ଓଭରବ୍ରିଜ ତଳେ ଏଭଳି ଘଟଣା ଘଟିଛି। ଅଇଁଠାପାଲି ଥାନା ବୁାରଜା ଜଗନ୍ନାଥ ମନ୍ଦିର ଅଞ୍ଚଳର ସନ୍ତୋଷ ପଟ୍ଟନାୟକ(୧୮) ଗୁରୁବାର ସକାଳ ୯ଟା ବେଳେ ନିତିଦିନ ପରି ଫାଟକ ଅଞ୍ଚଳକୁ ଖଟି କରିବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଜଣ ଯୁବକ ସର୍ବ ସମ୍ମୁଖରେ ତାଙ୍କୁ ଅସ୍ତ୍ରରେ ଆକ୍ରମଣ କରିବା ପରେ ପଥରରେ ଛେଚି ହତ୍ୟା କରିଛନ୍ତି। ଫରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଅସ୍ତୁରା, ଛୁରା, ପଥର ଓ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଆର୍‌ଏଫ୍‌ଏସ୍‌ଏଲକୁ ପଠାଇଛିଯ ସେପଟେ, ଅଇଁଠାପାଲି ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସବୁଦିନ ପରି ଗୁରୁବାର ମଧ୍ୟ ସନ୍ତୋଷ ସକାଳୁ ବାପା ସଞ୍ଜୟଙ୍କ ଚା’ ଦୋକାନରେ କିଛି ସମୟ ସହଯୋଗ କରିବା ପରେ ସାଢେ ୮ଟା ବେଳକୁ ଘରୁ ଟଙ୍କା ମାଗି ଫାଟକ ଅଞ୍ଚଳକୁ ଖଟି କରିବା ପାଇଁ ବାହାରିଥିଲେ। ଫାଟକ ଓଭରବ୍ରିଜ ତଳେ ସେ ପହଞ୍ଚି ଏକ ଜଳଖିଆ ଦୋକାନରେ ଖାଉଥିବା ସମୟରେ ୨ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ବଚସା ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ୨ ଭାଇ ତାଙ୍କୁ ପାଖରେ ରଖିଥିବା ଅସ୍ତୁରା ଓ ଛୁରାରେ ବାରମ୍ବାର ଆକ୍ରମଣ କରିଥିଲେ। ଯେଉଁଥିରେ ସନ୍ତୋଷଙ୍କ ମୁହଁରେ ୨ଟି, ବେକରେ ୪ଟି ଓ ଛାତିରେ ୩ଟି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏଥିରେ ବି ମନ ଶାନ୍ତି ନହେବାରୁ ପାଖରେ ପଡ଼ିଥିବା ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଯିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର