ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ତୁମକେଲା ନିକଟସ୍ଥ ବ୍ରାହ୍ମଣୀନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ରାଜାମୁଣ୍ଡା ଗୁଢ଼ିଆଳି ଗ୍ରାମର ଅଶୋକ କୁମାର ସିଂହ ନିଜ ଘରର ପୂଜାସାମଗ୍ରୀ ବିସର୍ଜନ କରିବା ପାଇଁ ତୁମକେଲା ବ୍ରାହ୍ମଣୀନଦୀ ତୁଠକୁ ଯାଇଥିଲେ। ସେଠାରେ ବିସର୍ଜନ କରିବା ସମୟରେ ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକେ ତୁରନ୍ତ ପୁଲିସ ଓ ଦମକଳବାହିନୀକୁ ଖବର ଦେଇଥିଲେ। ଖବରପାଇ ଲହୁଣିପଡ଼ା ପୁଲିସ ଓ ଦମକଳବାହିନୀ କର୍ମଚାରୀ ପହଞ୍ଚି ନଦୀପାଣିରେ ଅଶୋକଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଲହୁଣିପଡ଼ା ତହସିଲଦାର ବବୁଲ ପେରେଇ, ଥାନା ଏସ୍ଆଇ ଶ୍ରୀ ଜେନା ଘଟଣାସ୍ଥଳରେ ସନ୍ଧାନକାର୍ଯ୍ୟ ତଦାରଖ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଅଶୋକଙ୍କ କୌଣସି ସନ୍ଧାନ ମିଳିନାହିଁ। ଆସନ୍ତାକାଲି ରାଉରକେଲାରୁ ବୁଡ଼ାଳିଦଳ ଆସି ନିଖୋଜ ଯୁବକଙ୍କ ସନ୍ଧାନ କରିବେ ବୋଲି ସୂଚନା ମିଳିଛି।