ଟଙ୍କା ସାଜିଲା ବଇରି: ଧାରକରଜକୁ କେନ୍ଦ୍ର କରି ବିବାଦ, ବନ୍ଧୁଙ୍କୁ ଛୁରି ମାରି ହତ୍ୟା

ଖୋର୍ଦ୍ଧା: ଟଙ୍କା ଅନର୍ଥର ମୂଳ । ଏହି କଥା ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଚାଚେରା ଶବର ସାହି ନିକଟରେ ଘଟିଥିବା ଏକ ଘଟଣାରୁ ପୁଣି ଥରେ ସ୍ପଷ୍ଟ ହୋଇଛି । ଦୁଇ ବନ୍ଧୁଙ୍କ ମଧ୍ୟରେ ଧାରକରଜକୁ କେନ୍ଦ୍ର କରି ବିବାଦ ପରେ ଜଣେ ବନ୍ଧୁ ଆରଜଣକୁ ଛୁରି ମାରି ହତ୍ୟା କରିଛି ।

ସୂଚନାନୁସାରେ, ମହେଶ୍ୱର ଦାସ ଓରଫ ମୁନା(୨୯) ଖୋର୍ଦ୍ଧା ଶିଳ୍ପାଂଚଳର ଏକ କୋରିଅର/ପରିବହନ କଂପାନିରେ ଗାଡ଼ି ଚାଳକ ଭାବେ କାମ କରୁଥିଲା । ଏହାପରେ ରଶ୍ମୀରଂଜନ ପାଟ୍ଟଯୋଶୀ(୨୦) ସେଠାରେ ଚାଳକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ବନ୍ଧୁତାଯୋଗୁଁ ପରସ୍ପରକୁ ବିଭିନ୍ନ ସମୟରେ ସହାୟତା କରିବା ସହ ଟଙ୍କା ଦିଆନିଆ କରୁଥିଲେ । କିଛି ମାସ ପୂର୍ବେ ମୁନା ରଶ୍ମୀରଂଜନଙ୍କ ଠାରୁ ଟଙ୍କା ଧାର ନେଇଥିଲା ଓ ଦଶହରା ପୂର୍ବରୁ ଫେରାଇ ଦେବି ବୋଲି କହିଥିଲା । କିନ୍ତୁ ଏହି ଟଙ୍କା ଫେରାଇନଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।

ଗତକାଲି ରାତିରେ ଏକ ପାନଦୋକାନ ସମ୍ପୁଖରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବଚସାରୁ ହାତାହାତି ହୋଇଥିଲେ । ଏହି ସମୟରେ ମୁନା ନିଜ ପକେଟରେ ରଖିଥିବା ଛୁରି ବାହାର କରି ରଶ୍ମୀଙ୍କ ଛାତିକୁ ଭୁଷି ଦେଇଥିଲେ । ଫଳରେ ରଶ୍ମୀ ତଳେ କଚାଡ଼ି ହୋଇପଡ଼ିଯାଇଥିଲେ । ଏନେଇ ପାନଦୋକାନୀ ରଶ୍ମୀଙ୍କ ଘରକୁ ଖବର ଦେଇଥିଲେ । ରଶ୍ମୀଙ୍କ ବାପା-ମା ସେଠାରେ ପହଂଚିବା ବେଳେ ମୁନା ଆକ୍ରମଣ କରିଥିବା ଛୁରି ଧରି ରଶ୍ମୀ ନିକଟରେ ଠିଆ ହୋଇଥିଲେ । ପରେ ସେଠାରୁ ଦୌଡ଼ି ପଳାଇଥିଲା । ରଶ୍ମୀଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ତାଙ୍କୁ ପୂର୍ବରୁ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ ।

ଏନେଇ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ସୂଚନା ପାଇବା ପରେ ରଶ୍ମୀଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଥିଲା । ଆଜି ସକାଳେ ଅଭିଯୁକ୍ତ ମୁନାକୁ ଯାଁଳା ନିକଟରୁ ଗିରଫ କରିଥିବା ଜଣାଯାଇଛି । ତେବେ ଗିରଫ ନେଇ ଖୋର୍ଦ୍ଧା ଟାଉନ୍ ଥାନା ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।

ସମ୍ବନ୍ଧିତ ଖବର