ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସଂଖ୍ୟାଲଘୁ ଯୁବକ; କାର୍‌କୁ କରିଛନ୍ତି ଆମ୍ବୁଲାନ୍‌ସ, ରଖିଛନ୍ତି ଅକ୍ସିଜେନ୍‌ ସୁବିଧା

ଜାରି କରିଛନ୍ତି ସହାୟତା ନମ୍ବର, ୨୫ ଜଣ କରୋନା ରୋଗୀଙ୍କୁ ଦେଲେଣି ନୂଆ ଜୀବନ

ଖିଚିଂ(ପଙ୍କଜ କୁମାର ପିଙ୍ଗୁଆ): ମହାମାରୀ ସମୟରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ସାଧାରଣ ଓ କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସେ ହେଉଛନ୍ତି; ମହମ୍ମଦ ଆମାନ ଉଲ୍ଲା (ଅମନ)। ଏହି ୨୫ ବର୍ଷୀୟ ଯୁବକଙ୍କ ଘର ହେଉଛି ଝାଡ଼ଖଣ୍ଡ ମଝିଗାଁ ଥାନା ଅନ୍ତର୍ଗତ କୁଳପୋଷି ଗ୍ରାମରେ। ଯାହା ଓଡ଼ିଶା ସୀମା ଠାରୁ ମାତ୍ର ୫ କିମି ଦୂର। ସେ ଅସହାୟ ରୋଗୀଙ୍କୁ ଦେଖି ଚିନ୍ତିତ ଥିଲେ। ଯେଉଁମାନେ ଡାକ୍ତରଖାନା ଯାଇ ନ ପାରି ମୃତ୍ୟୁମୁଖରେ ପଡ଼ୁଥିଲେ। ତେଣୁ ଅମନ ତାଙ୍କର ହୋଣ୍ଡା ସିଟି କାର୍‌କୁ ଆମ୍ବୁଲାନ୍‌ସ କରିଦେଲେ।

ନିଜ ଅଞ୍ଚଳ ସହ ଓଡ଼ିଶାର ରରୁଆଁ ଓ ଶୁକୃଳି ଅଞ୍ଚଳର ଲୋକଙ୍କୁ ରରୁଆଁ, ଶୁକୃଳି, କରଞ୍ଜିଆ, କେନ୍ଦୁଝର, ରାଇରଙ୍ଗପୁର; ଏପରିକି କଟକ ଓ ଭୁବନେଶ୍ୱରସ୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଉଛନ୍ତି। ଗୁରୁତର ‌ରୋଗୀଙ୍କ ପାଇଁ ତାଙ୍କ କାର୍‌ରେ ଅକ୍ସିଜେନ୍‌ର ମଧ୍ୟ ବ୍ୟବସ୍ଥା ରହିଛି। ଗତବର୍ଷ ଠାରୁ ଅମନଙ୍କ ଏ ପ୍ରୟାସ ବଜାୟ ରହିଛି। ସହାୟତା ପାଇଁ ସେ ୯୧୭୮୯୯୫୦୫୫ ନମ୍ବର ଜାରି କରିଛନ୍ତି। ଏହି ନମ୍ବରରେ କେହି ଗରିବ ରୋଗୀ ଯୋଗାଯୋଗ କଲେ ସେ ତୁରନ୍ତ ତାଙ୍କ ଠିକଣାରେ ପହଞ୍ଚିଥାଆନ୍ତି ଏବଂ ଡାକ୍ତରଖାନା ନେଇଥାଆନ୍ତି। ଚଳିତ ବର୍ଷ ଅମନ ୨୫ ଜଣରୁ ଅଧିକ କରୋନା ରୋଗୀଙ୍କୁ ଡାକ୍ତରଖାନା ନେଇଛନ୍ତି, ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅମନଙ୍କ ଏପରି କାମ ପାଇଁ ତାଙ୍କୁ ବିଭିନ୍ନ ମହଲରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର