ଦଶମ ଶ୍ରେଣୀ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଜେଲଗଲା ଯୁବକ

ବାଲିଅନ୍ତା: ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତା’ ସହ ଶାରୀରିକ ସଂପର୍କ ରଖିଲା ଯୁବକ । ଆଉ ପରେ ଛାତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଯୁବକ ନିଜ ଫୋନରେ ରଖିଥିବା ଛାତ୍ରୀଙ୍କ ଜଣଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେଲା । ଏଭଳି ସଂଗୀନ ମାମଲାରେ ଆଜି ବାଲିଅନ୍ତା ଥାନା ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ଯୁବକଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ପାହାଳ ଫାଣ୍ଡି ଅଞ୍ଚଳରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ସହ ସେହି ଗ୍ରାମର ୨୦ ବର୍ଷୀୟ ଯୁବକଙ୍କର ବର୍ଷେ ତଳେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପ୍ରେମ ସଂପର୍କ ଆଗକୁ ବଢ଼ିବା ପରେ ଯୁବକ ଛାତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା । ଯୁବକ ଜଣକ ଛାତ୍ରୀଙ୍କ ସହ ଅସଂଯତ ଅବସ୍ଥାର ଭିଡ଼ିଓ ରେକର୍ଡ଼ କରି ନେଇଥିଲା । ପରେ ପ୍ରେମ ସଂପର୍କ କଥା ଛାତ୍ରୀଙ୍କ ଘର ଲୋକ ଜାଣିବା ପରେ ତାଙ୍କୁ ତାଗିଦ କରିଥିଲା। ତେଣୁ ସେ ଏହାର ପ୍ରତିବାଦ କରିଥିଲା ।

ଗତ ୪ ତାରିଖ ଦିନ ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଆଉ ଏଥିରେ ରାଗିଯାଇ ଅଭିଯୁକ୍ତ ଯୁବକ ମୋବାଇଲ ଫୋନରେ ରଖିଥିବା ଅଶ୍ଳୀଳ ଭିଡିଓ ସବୁକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଲା । ଏନେଇ ଛାତ୍ରୀଙ୍କ ମା’ଆ ବାଲିଅନ୍ତା ଥାନାରେ ଲିଖିତ ଭାବେ ଜଣାଇଥିଲେ । ତାଙ୍କ ଅଭିଯୋଗ ଆଧାରରେ ବାଲିଅନ୍ତା ଥାନାରେ ନଂ ୧୨୨/୨୧ ରେ ମାମଲା ରୁଜୁ ହୋଇଥିଲା। ଗତକାଲି ପୁଲିସ ଯୁବକଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଆଜି ଡାକ୍ତରୀ ପରୀକ୍ଷା କରାଇ ତାଙ୍କୁ କୋର୍ଟ ଚାଲାଣ କରିଥିଲା ।

ସମ୍ବନ୍ଧିତ ଖବର