ଗୁଳି କରି ଯୁବକଙ୍କୁ ହତ୍ୟା, ପୁଲିସର ଛାନଭିନ୍ 

ପଦ୍ମପୁର: ଶନିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ନାଇରା ଗ୍ରାମରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ କିରଣ ଗାଣ୍ଟା। ଅତି ନିକଟରୁ କିରଣଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରାଯାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସକାଳେ ଗୁଡାରି ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସହାୟତାରେ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଦୈନନ୍ଦିନ କାମ ସାରି ଗତକାଲି ରାତି ୮ଟାରେ କିରଣ ଘରକୁ ଫେରିଥିଲେ। ସ୍ତ୍ରୀ ରଜନି ଗାଣ୍ଟାଙ୍କ ସହ ରାତ୍ରି ଭୋଜନ କରିବା ପରେ କିରଣ ଶୋଇ ପଡ଼ିଥିଲେ। ରାତି ପ୍ରାୟ ୨ଟାରେ ପରିବାର ଲୋକ ଗୁଳି ଶବ୍ଦ ଶୁଣି ଉଠିଥିଲେ। ଉଠିବା ବେଳକୁ ପୁରା ଘର ଧୂଆଁମୟ ହୋଇ ପଡ଼ିଥିବାରୁ କିଛି ଦେଖି ପାରିନଥିଲେ। ରଜନିଙ୍କ ଚିତ୍କାର ଶୁଣି ପାଖରେ ଥିବା ଲୋକ ଦୌଡ଼ି ଆସିଥିଲେ। କିଛି ସମୟ ପରେ କିରଣଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଖଟରେ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ସରପଞ୍ଚ ତୁଳସା ଶବର ଫୋନ୍ ଯୋଗେ ଗୁଡ଼ାରି ପୁଲିସକୁ ଘଟଣା ସଂପର୍କରେ ଅବଗତ କରିବା ପରେ ଗୁଣପୁର ଏସଡିପିଓ ରାଜ କିଶୋର ଦାଶ, ଗୁଡ଼ାରି ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡ଼ିଆ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ରାୟଗଡ଼ାରୁ ଡଗସ୍କ୍ବାର୍ଡ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ବିଭିନ୍ନ ଦିଗକୁ ଯାଞ୍ଚ କରିଥିଲେ। କିନ୍ତୁ ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତମାନେ କିଛି ସୁରାକ୍ ଛାଡ଼ିନଥିବାରୁ ସାଇଣ୍ଟିଫିକ୍ ଟିମ୍ କେବଳ ରକ୍ତଭିଜା କପଡା, ଘଟଣାସ୍ଥଳର ମାଟି ଓ କିଛି ସାମଗ୍ରୀକୁ ତଦନ୍ତ ପାଇଁ ସଂଗ୍ରହ କରିଛି।

ପରିବାର ଲୋକ ଘଟଣା ସଂପର୍କରେ କିଛି ଜାଣିନଥିବା ବେଳେ କିରଣଙ୍କର କାହା ସହ ପୂର୍ବ ଶତ୍ରୁତା ଥିଲା କି ନାହିଁ ସେ ସଂପର୍କରେ ମଧ୍ୟ କିଛି କହି ପାରୁନାହାନ୍ତି। କିରଣଙ୍କ ଘର ଗୁଣୁପୁର ଅଞ୍ଚଳରେ ହୋଇଥିବା ବେଳେ ଦୀର୍ଘ ଦିନ ହେଲା ସେ ଶାଶୁ ଘରେ ନାଇରା ଗ୍ରାମରେ ରହି ଆସୁଥିଲେ। ଅପରାହଣରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଣି ଗୁଣପୁର ଉପଖଣ୍ଡ ମେଡ଼ିକାଲକୁ ପଠାଇଛି।

 

ସମ୍ବନ୍ଧିତ ଖବର