ରାଉରକେଲା: ସଂଧ୍ୟା ପ୍ରାୟ ୫ଟା। ସାରନଗରୀ ମଡର୍ଣ୍ଣ ଇଣ୍ଡିଆ ଗାନ୍ଧିସ୍କୁଲ ନିକଟ ୩୩ କେଭି ବିଦ୍ୟୁତ୍ ଟାୱାର ନିକଟରେ ପହଞ୍ଚିଥିଲେ ଜଣେ ଯୁବକ। କିଛି ସମୟ ଛିଡା ହେବା ପରେ ବିଦ୍ୟୁତ୍ ଟାୱାରର ୩୩ ଫୁଟ ଉଚ୍ଚକୁ ଚଢ଼ି ଯାଇଥିଲେ। ସେଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଲୋକଙ୍କୁ ଧମକ ଦେଇଥିଲେ। ଯୁବକଙ୍କର ଏଭଳି ଉନ୍ମକ୍ତକାଣ୍ଡ ଦେଖି ଟାୱାର ତଳେ ରୁଣ୍ଡ ହୋଇଯାଇଥିଲେ ଶହ ଶହ ଲୋକ। ଯୁବକ ଜଣଙ୍କୁ ଏପରି ନ କରିବାକୁ ବୁଝାସୁଝା କରି ତଳକୁ ଓହ୍ଲାଇ ଆସିବାକୁ କହିଥିଲେ। ମାତ୍ର ଯୁବକ ଜଣକ ଲୋକଙ୍କର କୌଣସି କଥା ଶୁଣି ନଥିଲେ। ଶେଷରେ ଲୋକମାନେ ଟାଙ୍ଗରପାଲି ଥାନା, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପୁଲିସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଯୁବକଙ୍କୁ ମଧ୍ୟ ବୁଝାସୁଝା କରି ଓହ୍ଲାଇ ଆସିବାକୁ କହିଥିଲେ।
ଯୁବକ ଜଣଙ୍କ ପୁଲିସ କିମ୍ବା ଅଗ୍ନିଶମ କର୍ମଚାରୀଙ୍କ କଥାକୁ ମଧ୍ୟ କର୍ଣ୍ଣପାତ କରି ନଥିଲେ। ଏକା ଜିଦ୍ ତଳକୁ ଡେଇଁ ମରିବି। କୌଣସି ଉପାୟ ନ ପାଇ ଅଗ୍ନିଶମ କର୍ମଚାରୀମାନେ ବାଧ୍ୟ ହୋଇ ଟାୱାରକୁ ଚଢ଼ି ଥିଲେ। ବୁଝାସୁଝା କରି ଯୁବକଙ୍କୁ ଉଦ୍ଧାର କରି ଆର୍ଜିଏଚ୍କୁ ପଠାଇଥିଲେ। ଏଭଳି କାଣ୍ଡ ଭିଆଇଥିବା ଯୁବକ ଜଣକ ହେଲେ କନ୍ଷ୍ଟ୍ରକ୍ସନ କଲୋନିର ଅନୁଜ ଶର୍ମା (୨୨)। କେଉଁ କାରଣରୁ ଅନୁଜ ଏମିତି କାଣ୍ଡ ଭିଆଇଲେ ପୁଲିସ ତାଙ୍କୁ ପଚରାଉଚୁରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/a1547163-ec96-4d31-b758-610a9fc1c3a5.jpg)