ପକ୍ଷୀ ପ୍ରେମରେ ବିଦ୍ୟାଧର, ଦେଶୀ-ବିଦେଶୀ ପାରା ପାଳି ପୁରସ୍କାର ସାଉଁଟିଛନ୍ତି

ଅସୁରାଳି: ପଶୁପକ୍ଷୀଙ୍କ ପାଇଁ ସାହାରା ସାଜି ସେମାନଙ୍କୁ ଜୀବନସାଥୀ କରିଛନ୍ତି ଅସୁରାଳି ଡାକଘରେ କାର୍ଯ୍ୟରତ ଗ୍ରାମୀଣ ଡାକସେବକ ବିଦ୍ୟାଧର ସାହୁ(୪୦)। ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗ୍ରାମର ବୈଷ୍ଣବସାହୁଙ୍କ ପୁଅ ବିଦ୍ୟାଧର। ଶହ ଶହ ପାରାଙ୍କୁ ନେଇ ସେ ଆଜି ଚର୍ଚ୍ଚାରେ ରହିଛନ୍ତି। ବିଦ୍ୟାଧର ପିଲାବେଳୁ ପଶୁପକ୍ଷୀଙ୍କୁ ଭଲପାଇ ଆସିଛନ୍ତି। ଧୀରେ ଧୀରେ ଏହା ତାଙ୍କର ନିଶା ପାଲଟିଗଲା। ଏବେ ସେ ପାଖାପାଖି ଦେଢ଼ ଶହ ବିଭିନ୍ନ ପ୍ରଜାତିର ପାରାଙ୍କୁ ରଖିଛନ୍ତି। ତିରା, ହରା, ନିଳା, କାଗଜି, ଟେଡି, କମଙ୍ଗର, କାଳୁଆ, ଡୁଗି, ଗୋଲଡେନ୍‌ ଆଦି ଦେଶୀ ସହ ପଞ୍ଜାବ, ମାଡ୍ରାସ ଓ ପାକିସ୍ତାନ ପ୍ରଜାତିର ପାରା ଆଣି ରଖିଛନ୍ତି। ଏମାନଙ୍କ ସହ ବିଦ୍ୟାଧରଙ୍କ ସମ୍ପର୍କ ଏତେ ନିବିଡ଼ ଯେ କେହି ନ ଦେଖିଲେ ବିଶ୍ୱାସ କରିବେ ନାହିଁ।

ରାତି ପାହିଲେ ପାରାମାନେ ଘେରିଯାଆନ୍ତି ତାଙ୍କୁ। ଆଉ ଘଣ୍ଟା ଘଣ୍ଟା ଧରି ପାରାମାନଙ୍କ ସହ ସମୟ ବିତାଇ ଆତ୍ମ‌ସନ୍ତୋଷ ଲାଭ କରନ୍ତି ବିଦ୍ୟାଧର। ପାରାମାନେ ବିଦ୍ୟାଧରଙ୍କୁ ଏମିତି ଆପଣାର କରିଦେଇଛନ୍ତି ଯେ କେହି କାହାରିକୁ ଛାଡ଼ିବା ପାଇଁ ନାରାଜ। ଏମାନଙ୍କ ରହିବାଖାଇବା ପାଇଁ ଦୈନିକ ପ୍ରାୟ ଦୁଇ ଶହ ଟଙ୍କାରୁ ଅଧିକ ସେ ଖର୍ଚ୍ଚ କରନ୍ତି। ପାରାକୁ ପାଳି ଏକ ନିଆରା ପରିଚୟ ପାଇଛନ୍ତି ବିଦ୍ୟାଧର। ଏଥିପାଇଁ ଅନେକ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଥିବା ବେଳେ ବହୁ ସମୟ ପାରା ଉଡ଼ାଇ ସେ ପୁରସ୍କୃତ ବି ହୋଇଛନ୍ତି। କେବଳ ଏତିକି ନୁହେଁ, କିଛି ମାଙ୍କଡ଼ ଓ କୁକୁରଙ୍କର ମଧ୍ୟ ସାଥୀ ହୋଇଛନ୍ତି ବିଦ୍ୟାଧର। ତାଙ୍କର ଏପରି ମନୋଭାବ ଆଜିର ସ୍ୱାର୍ଥସର୍ବସ୍ୱ ମଣିଷ ପାଇଁ ଏକ ବ୍ୟତିକ୍ରମ।

ସମ୍ବନ୍ଧିତ ଖବର