ଡ୍ରଗ୍ସ କବଳରେ ସୁନ୍ଦରଗଡ଼ ଯୁବପିଢ଼ି; ବଢ଼ୁଛି ଚୋରି ମାମଲା, ଅଭିଭାବକ ଚିନ୍ତିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ ଗତ ୮ ଦିନ ମଧ୍ୟରେ ଡ୍ରଗ୍ସ ଧରପଗଡ଼ କରି ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗଂଜା ଓ ୧୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ତେବେ ଗିରଫ ଅଭିଯୁକ୍ତମାନେ କେବଳ ଡ୍ରଗ୍ସ ସପ୍ଲାୟର୍ସ। ପୁଲିସ ଅସଲ ଡ୍ରଗ୍ସ ମାଫିଆ, ବେପାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ଯଦିଓ ଏ ଧରପଗଡ଼ ଡ୍ରଗ୍ସ କାରବାରକୁ କିଛି ଦିନ ପାଇଁ ବନ୍ଦ କରିବାରେ ସକ୍ଷମ ହୋଇପାରେ। କିନ୍ତୁ ପ୍ରକୃତରେ ସୁନ୍ଦରଗଡ଼ ସହର ସମେତ ଗ୍ରାମାଞ୍ଚଳରେ ଛାଇ ଯାଇଥିବା ଅନେକ ଡ୍ରଗ୍ସ ମାଫିଆ, ବେପାରୀଙ୍କ ପୁଲିସ ପଞ୍ଝାରୁ ସୁରକ୍ଷିତ ଦୂରରେ ରହିଥିବା କୁହାଯାଉଛି। ତେବେ ଡ୍ରଗ୍ସର ଏ କାରବାର ମଧ୍ୟରେ ସୁନ୍ଦରଗଡ଼ର ଯୁବପିଢ଼ିଙ୍କ ଜୀବନ ନଷ୍ଟ ହୋଇଯାଉଥିବା ପ୍ରକାଶ ପାଇଛି। ଡ୍ରଗ୍ସ କବଳରେ ୧୫ରୁ ୩୦ ବର୍ଷ ବୟସର ଯୁବକମାନେ ପଡ଼ି ସର୍ବସ୍ବାନ୍ତ ହେଉଥିବା ବେଳେ ସେମାନଙ୍କ ଜୀବନ ହାନିର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

ଖାସ୍ କରି ସ୍କୁଲ, କଲେଜ ପିଲା ଏସବୁ ଡ୍ରଗ୍ସ ପ୍ରେମରେ ପଡ଼ିଥିବା ଦେଖାଯାଇଛି। ଯାହା ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି। ଏହା ମଧ୍ୟରେ କିଛି ଯୁବକଙ୍କୁ ପରିବାର ଲୋକେ ଭୁବନେଶ୍ବର ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିବା ଓ କିଛି ଯୁବକଙ୍କୁ ସେଠାକୁ ନେବାକୁ ସ୍ଥିର କରିଥିବା ସୂଚନା ମିଳିଛି। ତେବେ ସବୁଠାରୁ ଉଦବେଗଜନକ କଥା ହେଲା, ସହରରେ ଚୋରି ବଢ଼ୁଥିବା ବେଳେ ଏହା ଡ୍ରଗ୍ସର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଚର୍ଚ୍ଚା ହେଉଛି। ଡ୍ରଗ୍ସ କିଣିବାକୁ ଟଙ୍କା ନପାଇ ଅନେକ ଯୁବକ ଏପରି ଅସାମାଜିକ ବାଟ ଆପଣେଇଥିବା କୁହାଯାଉଛି। ଯାହା ଡ୍ରଗ୍ସର ଭୟାବହତାକୁ ସାମ୍ନାକୁ ଆଣିଛି। ସୂଚନା ଅନୁସାରେ, ବାହାର ରାଜ୍ୟରୁ ଆସୁଥିବା ଡ୍ରଗ୍ସ ସୁନ୍ଦରଗଡ଼ ସହର ଓ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଯୋଗାଣକାରୀଙ୍କ ମାଧ୍ୟମରେ ଗ୍ରାହକଙ୍କ ପାଖରେ ପହଞ୍ଚୁଛି।

ଯୋଗାଣକାରୀମାନେ ବାଇକରେ ଡ୍ରଗ୍ସ ଧରି ସହରରେ ବୁଲି ବୁଲି ଗ୍ରାହକଙ୍କ ପାଖରେ ପହଞ୍ଚୁଥିବା ବେଳେ ଅନେକ ସମୟରେ ଗ୍ରାହକ ମଧ୍ୟ ନିଜେ ଆସି ଡ୍ରଗ୍ସ କିଣି ନେଇଥାନ୍ତି। ସହରର ଲୁହରାଢିପା, କିରେଇ, ପତ୍ରାପଡ଼ା, କଲେଜ ରୋଡ୍, କେନ୍ଦ୍ରୀୟ ବିଦ୍ୟାଳୟ ଅଞ୍ଚଳରେ ଡ୍ରଗ୍ସ ବେପାରୀଙ୍କ ଅସ୍ଥାୟୀ ଆଡ୍ଡା ରହିଛି। ଏସବୁ ସ୍ଥାନରେ ଗ୍ରାହକ ପହଞ୍ଚୁଛନ୍ତି, ଅଥବା ବେପାରୀ ଏଠାରୁ ଗ୍ରାହକଙ୍କ ପାଖକୁ ଡ୍ରଗ୍ସ ନେଇ ଯାଉଛି। ତେବେ ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରି ଏହାକୁ ସମ୍ପୂର୍ଣ୍ଣ ନରୋକିଲେ ସହରର ଏକ ଯୁବଗୋଷ୍ଠୀଙ୍କ ଅମୂଲ୍ୟ ଜୀବନ ଓ ଭବିଷ୍ୟତ ନଷ୍ଟ ହୋଇଯିବ। କିନ୍ତୁ ଅନେକ ଅଭିଭାବକ ନିଶା କବଳରେ ପଡ଼ିଥିବା ପୁଅ କଥା ଲୁଚାଇ ରଖୁଛନ୍ତି। ଯାହା ପରୋକ୍ଷରେ ସେମାନେ ପୁଅର ଜୀବନକୁ ମରଣ ମୁହଁକୁ ଠେଲି ଦେଉଛନ୍ତି ବୋଲି କୁହାଯାଇପାରେ।

ପୁଅକୁ ମୃତ୍ୟୁ ମୁଖରୁ ଫେରାଇ ଆଣିବା ପାଇଁ ଅଭିଭାବକ ନିଃସଂକୋଚରେ ତୁରନ୍ତ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିବା ଆବଶ୍ୟକ। ଏହା ଛଡ଼ା ପୁଲିସକୁ ସୂଚନା ଦେଇ ଡ୍ରଗ୍ସ ବେପାରୀଙ୍କୁ ଧରାଇବାରେ ସହଯୋଗ କରିବା ଜରୁରୀ। ତେବେ ଏଥିପାଇଁ ସୂଚନାକାରୀଙ୍କ ପରିଚୟ ଗୋପନ ରଖିବା ପାଇଁ ପୁଲିସ ଏକ ଟୋଲଫ୍ରି ନମ୍ବର ଜାରି କରିବା ଉଚିତ ବୋଲି ସହରର ଅନେକ ଲୋକ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର