କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରି ପଞ୍ଚାୟତ ଟୁରିଦେଉଳ ଗ୍ରାମର କବିତା ବଘାର(୨୦) ନାମକ ଜଣେ ଯୁବତୀ ଗୁରୁବାର ଅପରାହ୍ନରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରେ କେହି ନ ଥିବା ବେଳେ ଯୁବତୀ ଜଣକ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଆଁ ଲାଗିବା ଫଳରେ ଯୁବତୀଙ୍କ ଦେହର ୮୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା। ପରିବାର ଲୋକେ ଘରକୁ ଆସି ଯୁବତୀ ଜଣକ ନିଆଁରେ ପୋଡ଼ି ଯାଇଥିବା ଦେଖିଥିଲେ। ଉକ୍ତ ଘଟଣା ସମ୍ପର୍କରେ ପରିବାର ଲୋକେ କଣ୍ଟାମାଳ ପୁଲିସକୁ ଖବର ଦେଇଥିଲେ।
କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ଦରପୋଡ଼ା ଶବକୁ ଜବତ କରିଛି। ପରିବାର ଲୋକଙ୍କ ବୟାନ, ପାରିପାର୍ଶ୍ବିକ ସ୍ଥିତି ଓ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/29-18.jpg)