ପିକ୍‌ନିକରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଯୁବକ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ପରଜଙ୍ଗ: ଚଳିତ ବର୍ଷର ଶେଷ ରବିବାର ଅବସରରେ ପିକ୍‌ନିକ୍‌ ସାରି ଘରକୁ ଫେରୁଥିବା ବେଳେ କାର୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଚଗଲା ରଣା (୨୧) ଆଜି ସକାଳୁ ନିଜ ଉଚ୍ଚବିଦ୍ୟାଳୟର ସାଙ୍ଗମାନଙ୍କ ସହ ପିକନିକ୍‌ ପାଇଁ ଦଦରାଘାଟି ଡ୍ୟାମ୍‌କୁ ଯାଇଥିଲେ। ସେଠାରେ ସେ ପିକନିକ୍‌ ସାରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ଚଗଲା ଏକ ମୋଟର ସାଇକେଲ୍‌ରେ ଫେରୁଥିବା ବେଳେ ଗାଁ ନିକଟ ଶିବ ମନ୍ଦିର ପାଖରେ ପଛପଟରୁ ଏକ ଇନୋଭା (ଓଡି ୦୨ ଏସ୍‌ ୦୦୨୬) ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଚଗଲା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଗାଁର ଶିବ ମନ୍ଦିର ପୂଜକ କୃଷ୍ଣ ରଣାଙ୍କର ସାନ ପୁଅ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ରଖି ଉତ୍ତେଜନା ପ୍ରକାଶ କରିଥିଲେ। ଉତ୍ତେଜିତ ଲୋକେ କାର ଚାଳକଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଶତାଧିକ ଯାନବାହନ ଅଟକି ରହିଥିଲା।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଥିଲେ। ସୂଚନା ପାଇ ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ ନାୟକ ଘଟଣାସ୍ଥଳକୁ ପୁଲିସ ଟିମ୍‌ ସହ ପହଞ୍ଚି ଥିଲେ। ସେ ଲୋକଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ବନ୍ଦ ହୋଇଥିଲା। ପୁଲିସ ମୃତଦେହ ଜବତ କରିଛି। ଆସନ୍ତାକାଲି ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ଜାଣିବାକୁ ମିଳିଛି ଯେ, ଚଗଲାଙ୍କ ପରିବାର ଲୋକେ ଗରିବ ଶ୍ରେଣୀର ଥିଲୋ। ଘରେ ତାଙ୍କର ୨ ଭାଇ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ଚଗଲା ଜେସିବି ଗାଡ଼ି ଚଳାଉଥିଲେ। ଏଥିରୁ ମିଳୁଥିବା ଟଙ୍କା ସେ ପରିବାର ଚଳାଇବାରେ ସହଯୋଗ କରୁଥିଲେ।

ସମ୍ବନ୍ଧିତ ଖବର