ଯୁବକଙ୍କ ଆତଙ୍କରାଜ, ଦୁଇ ଶିକ୍ଷକ ସମେତ ଛାତ୍ରଛାତ୍ରୀଙ୍କୁ ମାଡ଼

କାବୁ କରି ପୁଲିସ ଜିମା ଦେଲେ ଲୋକେ

ରାଜକନିକା: ରାଜକନିକା ବ୍ଲକ୍ ବାଂଶିରିଆରେ ଆଜି ଅଭାବନୀୟ ଘଟଣା ଘଟିଛି। ଦୁଇ ଯୁବକ ଏଠାରେ ଆତଙ୍କ ଖେଳାଇଛନ୍ତି। ଦୁଇ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଆହତ କରିଛନ୍ତି। ଏହି ଘଟଣାକୁ ନେଇ ଏଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀ ଦୁଇ ଯୁବକଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ସୂଚନା ମୁତାବକ, ବାଂଶିରିଆସ୍ଥିତ ଅଯୋଧ୍ୟା ବିଦ୍ୟାପୀଠ ଛୁଟି ହେବା ପରେ ଛାତ୍ରଛାତ୍ରୀ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ସେହିବାଟେ ଦ୍ରୃତ ଗତିରେ ବାଇକ୍‌ ଚଳାଇ ଯାଉଥିଲେ। ସେମାନେ ସାଇଡ୍‌ ମାରିବାରୁ ସାଇକଲରେ ଯାଉଥିବା ଜଣେ ଛାତ୍ର ଓ ଛାତ୍ରୀ ତଳେ ପଡ଼ି ଯାଇଥିଲେ। ଛାତ୍ରଛାତ୍ରୀ ଏହି ଘଟଣାର ପ୍ରତିବାଦ କରିଥିଲେ। ହେଲେ ଯୁବକ ଦ୍ବୟ ସେମାନଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ବିଦ୍ୟାପୀଠର ଶିକ୍ଷକ ବସନ୍ତ ତରାଇ ଘଟଣାସ୍ଥଳରେ ପହଂଚି ଯୁବକ ଦ୍ବୟଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ଯୁବକମାନେ ଶିକ୍ଷକ ଶ୍ରୀ ତରାଇଙ୍କୁ ଇଟା ଏବଂ ବାଡ଼ିରେ ଆକ୍ରମଣ କରିଥିଲେ।

ଏହି ସମୟରେ ବିଦ୍ୟାପୀଠର ଅନ୍ୟ ଜଣେ ଶିକ୍ଷକ ମଦନମୋହନ ଦାସ ସେଠାରେ ପହଂଚି ଶ୍ରୀ ତରାଇଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ଦୁଇ ଯୁବକଙ୍କ ମାଡ଼ରେ ଶ୍ରୀ ତରାଇଙ୍କ ହାତ, ଗୋଡ଼ ଭାଙ୍ଗି ଯାଇଛି। ଗ୍ରାମବାସୀ ଶିକ୍ଷକ ଶ୍ରୀ ତରାଇଙ୍କୁ ପ୍ରଥମେ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏଥିସହ ଶିକ୍ଷକ ଶ୍ରୀ ଦାସ ମଧ୍ୟ ଆହତ ହୋଇଛନ୍ତି। ଯୁବକ ଦ୍ବୟ ଆତଙ୍କରାଜ ଚଳାଇଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରି ଏକ ଘରେ ପୂରାଇ ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଥାନାରେ ଅଟକ ରଖିଛି। ଏହି ଖବର ପ୍ରଚାରିତ ହେବା ପରେ ଶିକ୍ଷକମାନେ ଥାନାରେ ପହଞ୍ଚି ତୀବ୍ର ପ୍ରତିବାଦ ଜଣାଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ, ଛାତ୍ରଛାତ୍ରୀ, ଅବିଭାବକ ଏବଂ ଶିକ୍ଷକମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର