ରାତାରାତି ଲକ୍ଷପତି ହେବାର ନିଶା: ପଥଭ୍ରଷ୍ଟ ଯୁବପିଢି, ସପ୍ତାହକରେ ଗିରଫ ହେଲେଣି ୫୦

କମୁଛି ନିଯୁକ୍ତି ସୁଯୋଗ; ବଢୁଛି ବେରୋଜଗାରି, ୪ ବର୍ଷରେ ୪୧ ପ୍ରତିଶତଙ୍କୁ ମିଳିଛି ନିଯୁକ୍ତି

ରାୟଗଡ଼ା: ଘାରୁଛି ଲକ୍ଷପତି ହେବା ନିଶା। ଟଙ୍କା ଆଶାରେ ବିପଥଗାମୀ ଯୁବପିଢ଼ି। ଗଞ୍ଜେଇ, ମଦ, ଗୁଟୁଖା ଭଳି ବେଆଇନ ବ୍ୟବସାୟକୁ ନେଉଛନ୍ତି ଆପଣାଇ। ଯୁବକଙ୍କୁ ଢାଲ କରି ବେଆଇନ ବ୍ୟବସାୟ ଦ୍ୱାରା ମାଫିଆ ମାଲାମାଲ ହେଉଥିବା ବେଳେ ପୁଲିସ ଜାଲରେ ପଡି କ୍ୟାରିଅରକୁ ନଷ୍ଟ କରୁଛନ୍ତି ଯୁବପିଢ଼ି। ଗତ ସପ୍ତାହକ ମଧ୍ୟରେ ପୁଲିସ ରୁଜୁ କରିଥିବା ମାମଲା ଦ୍ୱାରା ୫୦ରୁ ଉର୍ଦ୍ଧ୍ବ ଗିରଫ ହେବା ଏହାକୁ ପ୍ରମାଣିତ କରିଛି। ଗତ ୨୬ ତାରିଖରେ ମୁନିଗୁଡ଼ା ପୁଲିସ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଦାମୀ କମ୍ପାନିର ୧୬ ଲକ୍ଷ ଟଙ୍କାର କାର ପୁଲିସ ଜବତ କରିଛି। ଗିରଫଙ୍କ ମଧ୍ୟରେ ଗଞ୍ଜାମ, କନ୍ଧମାଳ, କୋରାପୁଟ ଜିଲ୍ଲାର ଜଣେ ଲେଖାଏଁ ଯୁବକ ଥିବାବେଳେ ଅନ୍ୟ ଜଣେ ରାକେଟ ଚଳାଇଥିବା ମଧ୍ୟପ୍ରଦେଶର ମାଫିଆ ବୋଲି ଜଣା ପଡିଛି।

ମାମଲାରେ ଗିରଫ ହୋଇଥିବା ୩ ଯୁବକ ପୂର୍ବରୁ ବେରୋଜଗାରିକୁ ନେଇ ଚିନ୍ତାରେ ଥିଲେ। କିଏ ଢ଼ାବା ତ କିଏ ଆଉଟ ସୋରସିଂ ସଂସ୍ଥା ଦ୍ୱାରା ଅନ୍ୟତ୍ର କାମ କରୁଥିଲେ। ହେଲେ ଗତ କିଛି ମାସ ମଧ୍ୟରେ ମାଫିଆଙ୍କ ଲିଙ୍କରେ ଆସି ମୂଳ ଧନ୍ଦାକୁ ଛାଡ଼ି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ହୋଇଥିଲେ। ଏପରିକି ଗଞ୍ଜେଇ ଚାଲାଣ ସମୟରେ ପୁଲିସ ନଜରରୁ ବର୍ତ୍ତିବା ପାଇଁ ନୂଆ ଗାଡ଼ି ମଧ୍ୟ କିଣିଥିଲେ। କୋରାପୁଟ, ମାଲକାନଗିରି ଅଞ୍ଚଳରୁ ଗଞ୍ଜେଇ ସହ ମାଫିଆଙ୍କୁ ନେଇ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସୀମାନ୍ତରେ ଛାଡ଼ିବା ପରେ ମିଳୁଥିଲା ଲକ୍ଷାଧିକ ଟଙ୍କା। ବେଆଇନ ରୋଜଗାର ମାଧ୍ୟମରେ ରାତାରାତି ଲକ୍ଷପତି ହେବାର ସ୍ଵପ୍ନ ଦେଖୁଥିବା ଏହି ୩ ଯୁବକ ଏବେ ଜେଲର ଚାରିକାନ୍ଥ ମଧ୍ୟରେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି। ଭାତହାଣ୍ଡିରୁ ଚିପିଲା ଭଳି ଏହା ଗୋଟିଏ ଘଟଣା। ପୁଲିସ, ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇ ଏମିତି ଅନେକ ଯୁବପିଢ଼ିଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମୁନିଗୁଡ଼ା, ଗୁଣପୁର, ଗୁଡାରି ପୁଲିସ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଗୁଟୁଖା ଚାଲାଣ ମାମଲାରେ ୩ ଜଣଙ୍କୁ ଗିରଫ କରିଛି।

ଜେକେପୁରରୁ ଗୁଣପୁରକୁ ଗୁଟୁଖା ଚାଲାଣ ସମୟରେ ପୁଲିସ ବୋଲେରୋ ସହ ଲକ୍ଷାଧିକ ଟଙ୍କାର ଗୁଟୁଖା ଜବତ କରିଥିଲା। ସେହିପରି ବେଆଇନ ମଦ କାରବାର, ରାନ୍ଧିବା ଓ ଚାଲାଣ କରିବା ଅଭିଯୋଗରେ ପୁଲିସ ୩୬ରୁ ଉର୍ଦ୍ଧ୍ବଙ୍କୁ ଗିରଫ କରିଛି। ଦିନକୁ ଦିନ ନିଯୁକ୍ତି ସୁଯୋଗ କମୁଥିବାରୁ ବେରୋଜଗାରି ବଢ଼ି ଚାଲିଛି। ଚାକିରି ଆଶାରେ ବିଭିନ୍ନ ଧନ୍ଦାମୂଳକ ତାଲିମ ନେଇ ନିଯୁକ୍ତି ଆଶାରେ ଅଛନ୍ତି। ରାୟଗଡ଼ା ଜିଲ୍ଲାର ୫୯ ପ୍ରତିଶତ ଯୁବପିଢି। ବର୍ଷ ବର୍ଷର ଅପେକ୍ଷା ପରେ ବି ଏମାନଙ୍କ ପାଇଁ ନିଯୁକ୍ତି ଆଶା କ୍ଷୀଣ। ଯାହା ସେମାନଙ୍କୁ ନିରାଶ କରିବା ସହ ବେପଥଗାମୀ କରୁଛି। ମିଳିଥିବା ସୂଚନାନୁଯାୟୀ, ଗତ ୪ ବର୍ଷ ମଧ୍ୟରେ କୁଶଳୀ ଯୁବକ ଯୁବତୀଙ୍କ ମଧ୍ୟରୁ କେବଳ ୪୧ ପ୍ରତିଶତଙ୍କୁ ନିଯୁକ୍ତି ଯୋଗାଇଛି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ। ୨୦୧୮ ମସିହାରୁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ୨୬୧୪ ଯୁବକ ଯୁବତୀ ତାଲିମ ପାଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୧୨୪୬ ଜଣ ହିଁ ନିଯୁକ୍ତି ସୁଯୋଗ ପାଇଛନ୍ତି। ୫୧ ପ୍ରତିଶତଙ୍କୁ ନିଯୁକ୍ତି ସୁଯୋଗ ନଥିବା ବେଳେ ନିଯୁକ୍ତି ପାଇଥିବା ୪୯ ପ୍ରତିଶତ ମଧ୍ୟରୁ ଅଧାରୁ ଅଧିକ ନିଯୁକ୍ତିର ୨/୩ ମାସ ପରେ କମ ଦରମା, କାର୍ଯ୍ୟସ୍ଥଳୀରେ ସମସ୍ୟା କାରଣରୁ ଚାକିରି ଛାଡ଼ି ଘରମୁହାଁ। ଯୁବପିଢ଼ିଙ୍କୁ ନେଇ ସରକାର ନୂଆ ଭାରତର ସ୍ୱପ୍ନ ଦେଖୁଛନ୍ତି। ହେଲେ ବାସ୍ତବରେ ତୃଣମୂଳସ୍ତରରେ ଯୁବପିଢ଼ିଙ୍କ ସମସ୍ୟା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି।

ସମ୍ବନ୍ଧିତ ଖବର