ଶୁଣିଲାନି ପ୍ରଶାସନ: ମାଟି ପକାଇ ରାସ୍ତା ତିଆରି କଲେ ଯୁବ ଗୋଷ୍ଠୀ

କୋରାପୁଟ: ଅଭିଯୋଗ ଦେଇ ଦେଇ ନ ଶୁଣିବାରୁ ହାତରେ କୁଡୁକି ଓ ଝୁଡି ଧରିଛନ୍ତି ଗାଁର ଉଦଯୋଗୀ ଯୁବକ। କାନ୍ଧରେ କାନ୍ଧରେ ମିଶାଇ ଗାଁ ରାସ୍ତାକୁ ତିଆରି କରିଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ବ୍ଲକ ମସ୍ତିପୁଟ ପଞ୍ଚାୟତ ଅଧୀନରେ ରହିଥିବା ବଣ୍ଡାଗୁଡା ହରିଜନ ସାହିରେ।

ମିଳିଥିବା ସୂଚନା ମୁତାବକ ଏହି ଗାଁରେ କେଉଁ କାଳରୁ ରହି ଆସୁଛନ୍ତି ୯୦ରୁ ଅଧିକ ପରିବାର। ପ୍ରତିଦିନ ଏହି ପରିବାର କୋରାପୁଟ ସହର ଉପରେ ନିର୍ଭର କରିଥାନ୍ତି। ସହରଠାରୁ ୧୧ କିଲୋମିଟର ଦୂରରେ ରହି ଗାଁ ରହିଥିବାରୁ ଶହ ଶହ ଶ୍ରମିକ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି। କିନ୍ତୁ ପ୍ରଶାସନକୁ ୨୦୧୯ରୁ ଏହି ରାସ୍ତା ତିଆରି କରିବାକୁ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ପ୍ରଶାସନ ଶୁଣିବାକୁ  ନରାଜ। ଏହାସହ  ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ଏନେଇ ଅବଗତ କରିଥିଲେ ସେମାନେ ଶୁଣି ନ ଥିଲେ। ଫଳରେ ଆଜି ବଣ୍ଡାଗୁଡା ଯୁଥ କ୍ଲବ ପକ୍ଷରୁ ଏହିଠାରେ ମାଟି ପକାଯାଇ ରାସ୍ତା କାମ କରାଯାଇଛି। ଗାଁର ପ୍ରତି ପରିବାରଠାରୁ ଚାନ୍ଦା କରିବା ସହ ନିଜେ ଶ୍ରମ ଦେଇ ଏହି ରାସ୍ତାକୁ ସମତୁଲ କରିଛନ୍ତି।

ଗାଁର ଜିତୁ ଚେଟ୍ଟି କହିଛନ୍ତି ଯେ ୨୦୧୯ରୁ ଏହି ଗାଁକୁ ଯୋଡୁଥିବା ମାଟି ରାସ୍ତାକୁ ପକ୍କା କରିବାକୁ ଅଭିଯୋଗ ଦେଉଛୁ। ଅଭିଯୋଗ ଦେଇ ଦେଇ ଥକିବା ପରେ ମଧ୍ୟ ଆମ କଥାକୁ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଶୁଣିଲା ନାହିଁ। ତେଣୁ ଆଜି ଚନ୍ଦାଭେଦା କରି ଟ୍ରାକ୍ଟରରେ ମାଟି ଆଣିବା ସହ ନିଜେ ଶ୍ରମ ଦେଇ ଗାଁ ରାସ୍ତାକୁ ସମତୁଲ କରିଛୁ ବୋଲି ସେ କହିଛନ୍ତି।

ଏନେଇ ଗାଁର ପିଣ୍ଟୁ ଚେଟ୍ଟି କହିଛନ୍ତି ଯେ ଅନ୍ୟଦିନେ ଚଳିଯାଉଥିଲେ ମଧ୍ୟ ବର୍ଷାଦିନ ଆସିଲେ ଗାଁ ଲୋକେ ନାହିଁ ନ ଥିବା ହଇରାଣ ହେଉ। ରାତିବିକାଳି ଯଦି କାହାର ଦେହ ଖରାପ ହେଲା କି ଗର୍ଭବତୀ ମହିଳା ପ୍ରସବ ବେଦନ ଭୋଗିଲା ତେବେ ୪ କିଲୋମିଟର ରାସ୍ତାରେ ବୋହି କରି ଆଣିବାକୁ ହୁଏ।

ଗାଁର ରଞ୍ଜିତ ଖରା, ସଦନ ହରିଜନ, ଜେଟୁ ଚେଟ୍ଟି, ବଲରାମ ଖରା, ପଦାମ ଖରା, ସଞ୍ଜୟ ସାଗର, ବାବୁଲି ବାଘ, ସୁଜିତ ଖରା ଓ ରାଜେଶ ଖରା ଶ୍ରମ ଦାନ କରି ରାସ୍ତା ତିଆରି କରିଛନ୍ତି।

ସମ୍ବନ୍ଧିତ ଖବର