ଅଲିଭ୍‌ରିଡ୍‌ଲେଙ୍କ ପ୍ରଜନନ ଋତୁ, ବେଳାଭୂମି ସଫେଇ କଲେ ଯୁବଗୋଷ୍ଠୀ

ରାଜନଗର: ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ନଭେମ୍ବର ୧ରୁ ଆରମ୍ଭ ହୋଇଛି। କୋଷ୍ଟାରିକା, ମେକ୍ସିକୋ ସମେତ ଓଡିଶା ଉପକୂଳରେ ଅଲିଭରିଡଲେ କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ବିଶ୍ୱରେ ଉପଲବ୍ଧ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ସମାଗମ ହୋଇଥାନ୍ତି। ଏହି ବିରଳ କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ ହେବା ପରେ ଏମାନଙ୍କ ସୁରକ୍ଷା ସହିତ କିପରି ଏହି କଇଁଛ ସୁରୁଖୁରୁରେ ଆସି ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବେ ସେ ନେଇ ବନବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ହାତକୁ ନିଆଯାଇଛି। ବିରଳ କଇଁଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ସହିତ ବେଳାଭୂମି ସଫେଇର ଆବଶ୍ୟକତା ରହିଛି। ନଭେମ୍ବରରୁ ମେ’ ମାସ ଶେଷଯାଏ ବେଳାଭୂମି ସଫେଇ କରାଯିବ। ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ବେଳାଭୂମି ସଫେଇ କରିବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ସ୍ଥାନୀୟ ଯୁବକମାନେ ଆଗେଇ ଆସିଛନ୍ତି। ଆଜି ରାଜନଗର ରେଂଜର ବରୁଣେଇ ମୁହାଣଠାରୁ ଦୋବନ୍ଧି ଯାଏ ଦୀର୍ଘ ୧୨ଶହ ମିଟରର ବେଳାଭୂମିକୁ ସଫେଇ କରାଯାଇଛି। ବେଳାଭୂମିରେ ପଡିଥିବା ଛିଣ୍ଡା ଜାଲ, ପ୍ଲାଷ୍ଟିକ ଓ କାଚ ବୋତଲ, ପ୍ଲାଷ୍ଟିକ ଗ୍ଲାସ, ପଲିଥିନ ପ୍ରଭୃତି ଆବର୍ଜନାକୁ ସଫେଇ କରାଯାଇଛି। ଏହି ୧୨ଶହ ମିଟର ବେଳାଭୂମିରୁ ପ୍ରାୟ ୨ଟନ୍ ପ୍ଲାଷ୍ଟିକ ଆବର୍ଜନା ସଫେଇ କରାଯାଇଛି।

ଏହି ଆବର୍ଜନାକୁ ସେଠାରେ ନପକାଇ ରାଜନଗର ଆଣି ନଷ୍ଟ କରିବାକୁ ଯୋଜନା କରାଯାଇଛି। ମୁଖ୍ୟ ଖାଦ୍ୟ ଜେଲିଫିସ୍ ପଲିଥିନ ପାଣିରେ ଭାସୁଥିବା ବେଳେ ଆବର୍ଜନାକୁ ଜେଲିଫିସ ଭାବି କଇଁଛମାନେ ଖାଇଦେଇ ମୃତ୍ୟୁମୁଖରେ ପଡିଥାନ୍ତି। ଏହି ସଫେଇ କାର୍ଯ୍ୟକ୍ରମରେ ଆସୁଛି ମୋ କାଳିଆସୁନା ଗ୍ରୁପ୍ ଅଫ୍ ଓଡିଶା, ସାନ ୱେଟଲାଣ୍ଡ, ମା’ପାଟ୍ଟକୁମାରୀ କଳା ବିକାଶ ଯୁବ ସଂଗଠନ ମେଘମହ୍ଲାର ଏଣ୍ଡୁଳାପୁର ଓ ପଶୁପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାମ କରୁଥିବା ଆପୁଆର ସ୍ବେଚ୍ଛାସେବୀମାନେ ସାମିଲ ହୋଇଥିଲେ। ୪ଟି ସଂଗଠନର ୫୦ରୁ ଉର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କ ସହିତ ସ୍ଥାନୀୟ ଲୋକଙ୍କ ସହିତ ରାଜନଗର ଓ ଗହୀରମଥା ରେଂଜ ର ବନକର୍ମଚାରୀମାନେ ସାମିଲ ହୋଇଥିଲେ। ପର୍ଯ୍ୟାୟକ୍ରମେ ପ୍ରତି ସପ୍ତାହରେ ବେଳାଭୂମି ସଫେଇ କରାଯିବ ବୋଲି ରାଜନଗର ଡିଏଫଓ ଡ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଡିଏଫଓ ଡ. ପତିଙ୍କ ସହ ଏସିଏଫ ବିରଂଚି ନାରାୟଣ ସାମଲ, ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ସୂର୍ଯ୍ୟ ନାରାୟଣ ଲେଙ୍କା, ରାଜନଗର ରେଂଜ ଅଫିସର ଧନେଶ୍ୱର ରଥ, ଗହୀରମଥା ରେଂଜ ଅଫିସର ଦେବାଶିଷ ଭୋଇ, ଗବେଷକ ନିମାଇଁ ଚରଣ ପଲାଇ, ଭକ୍ତ ରଂଜନ ରଥ, ଫରେଷ୍ଟର ପ୍ରଦୀପ କୁମାର ବେହେରା, ମହନ୍ତ କୁମାର ମଲିକ, ବିଜୟ କୁମାର ପାତ୍ର, ପଦ୍ମନାଭ ରାଉତ, ଫରେଷ୍ଟଗାର୍ଡ ତ୍ରିଦୀପ ପ୍ରଧାନ, ରଂଜନ କୁମାର ପାଣି ପ୍ରମୁଖ ସାମିଲ ହୋଇଥିଲେ।

 

ସମ୍ବନ୍ଧିତ ଖବର