ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଂଚଳର ଖୋର୍ଦ୍ଧା ଟାଉନ ଥାନା ଅଧୀନ ଭାଲିଆବାଡ଼ି ଅଙ୍ଗନବାଡ଼ି କେନ୍ଦ୍ର ବାରଣ୍ଡାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତଦେହର ସ୍ଥିତିକୁ ଦେଖି ପରିବାର ଲୋକ ହତ୍ୟା ସନ୍ଦେହ କରୁଥିବା ବେଳେ ଏତଲାରେ ଅପମୃତ୍ୟୁ ଲେଖିବା ପାଇଁ ପୁଲିସ ଚାପ ପକାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ନୟାଗଡ଼ ଇଟାମାଟିର ସୁରଥ ନାୟକଙ୍କ ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ୪ଟା ବେଳେ ତାଙ୍କୁ କେହି ଜଣେ ଫୋନ୍ କରି କହିଲା ଯେ ତାଙ୍କ ଭାଇ ଭରତ ନାୟକ (୨୮) ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ଓ ସେ ଶକ୍ତିନଗର ଅଙ୍ଗନବାଡ଼ି କେନ୍ଦ୍ରଠାରେ ପଡ଼ିଛନ୍ତି । ଏହାପରେ ସେମାନେ ସେଠାରେ ପହଂଚି ତାଙ୍କ ଭାଇର ମୁଣ୍ଡ ପଛପଟକୁ ଆଘାତ ଲାଗି ରକ୍ତସ୍ରାବ ହେଉଥିବା ଓ ବାମହାତ କହୁଣି କ୍ଷତଚିହ୍ନ ଥିବା ଦେଖିବାକୁ ପାଇଥିଲେ ।
ଏହାପରେ ୧୦୮ ଆମ୍ବୁଲାନ୍ସ ଓ ପୁଲିସକୁ ଫୋନ୍ କରିଥିଲେ । ୧୦୮ ଆମ୍ବୁଲାନ୍ସ ନଆସିବାରୁ ସେମାନେ ଘରୋଇ ଆମ୍ବୁଲାନ୍ସରେ ଭରତଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ପୁଲିସ ୫ ଥର ଏତଲା ବଦଳାଇବାକୁ କହିଥିଲା । ଆଜି ବ୍ୟବଚ୍ଛେଦ ପରେ ଭରତଙ୍କ ମୃତଦେହ ନେବାକୁ ଆସିଥିବା ତାଙ୍କର ଅନ୍ୟଜଣେ ସମ୍ପର୍କୀୟ ଭାଇ ଛବି ରାଉତଙ୍କ କହିବାନୁସାରେ, ଭରତ ୨ ବର୍ଷ ଧରି ଗେଡ଼ୁ ନାୟକ ନାମକ ଜଣେ ଠିକାଦାର ନିକଟରେ କାମ କରୁଥିଲା ।
ଗତକାଲି ସେ କାମକୁ ଯାଇନଥିବା କହିଥିଲା | ତେବେ ଭରତର ମୃତଦେହରେ ସିମେଣ୍ଟ ଆଦି ଲାଗିଥିବାରୁ ସେ ଘଟଣାଦିନ କାମ କରିଥିବା ସ୍ପଷ୍ଟ ଜଣାପଡ଼ୁଛି । ଏଣୁ ଭରତର ମୃତ୍ୟୁର କାରଣ ଲୁଚାଇବାକୁ ଚେଷ୍ଟା କରାଯାଉଛି । ଘଟଣା ସମ୍ପର୍କରେ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ଗତକାଲି ପରିବାର ଲୋକଙ୍କ ଅଭିଯୋଗ ପରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଆଜି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।