ଡକରାଦୋରା ଜଳପ୍ରପାତ ତଳକୁ ଖସିପଡି ଯୁବକ ନିଖୋଜ

ତେନ୍ତୁଳିଖୁଣ୍ଟି: ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମୁଣ୍ଡାଗୁଡା ନିକଟରେ ଥିବା ଡକରାଦୋରା ଜଳ ପ୍ରପାତ ରେ ଏକ ଅଭାବନୀୟ ଘଟଣା ଘଟିଛି | ଜଳପ୍ରପାତରେ ଗାଧୋଇବା ସମୟରେ ଜଣେ ଯୁବକ ଡକରାଦୋରା ଜଳପ୍ରପାତ ତଳକୁ ଖସି ପଡ଼ି ନିଖୋଜ ଅଛନ୍ତି | ଯୁବକ ଜଣଙ୍କ ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ କାନ୍ଦ୍ରାଗୁଡା ଗ୍ରାମର ଗାମୁନିଏଲ ସୁନା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି | ଖବର ପାଇ ତେନ୍ତୁଳିଖୁଣ୍ଟି ଆଇଆଇସି ଗୋପାଳ କୃଷ୍ଣ ଆଗୁପାତ୍ର,ଏସଆଇ ବିନିତା ତୀର୍କୀ,ଏଏସଆଇ ରେଣୁ ପଟ୍ଟନାୟକ ସଦଳବଳେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି | ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗ କର୍ମଚାରୀ ଜଳପ୍ରପାତ ମଧ୍ୟକୁ ଓହ୍ଲେଇ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକ ସନ୍ଧାନ ମିଳିପାରିନି |

ରାତ୍ର ହୋଇଯିବା କାରଣରୁ ପୁଣି କାଲି ସକାଳୁ ସନ୍ଧାନ ଜାରି ରହିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି | ପୁଲିସ ସୂଚନା ମୁତାବକ ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ କାନ୍ଦ୍ରାଗୁଡା ଗ୍ରାମର ପାଞ୍ଚ ଛଅ ଜଣ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଡକରାଦୋରା ଜଳପ୍ରପାତକୁ ବୁଲିବାକୁ ଆସିଥିଲେ | ନିଖୋଜ ଯୁବକ ଜଣଙ୍କ ଜଳପ୍ରପାତରେ ଗାଧୋଉଥିଲେ | ତେବେ ଗାଧୋଇବା ସମୟରେ ଗାମୁନିଏଲଙ୍କ ଗୋଡ଼ ଖସିଯିବାରୁ ଜଳପ୍ରପାତ ତଳକୁ କଚାଡି ହୋଇ ପଡିଯାଇଥିଲେ | ଜଳପ୍ରପାତ ମଧ୍ୟରେ ପଡିବା ପରେ ଯୁବକ ଜଣଙ୍କ ପାଣିରେ ବୁଡ଼ି ଆଉ ବାହାରିନଥିଲେ |

ଅଂଚଳରେ ଏହି ଖବର ବିଜୁଳି ବେଗରେ ପ୍ରଚାର ହୋଇଥିଲା | ଖବର ପାଇ ଅଗ୍ନିଶମ କର୍ମଚାରୀ ଜଳପ୍ରପାତ ନିକଟରେ ପହଂଚିଥିଲେ | ଜଳପ୍ରପାତ ମଧ୍ୟରେ ପଶି ଦୀର୍ଘ ୨ ଘଣ୍ଟା କାଳ ଖୋଜାଖୋଜି କରିଥିଲେ ହେଁ ଯୁବକଙ୍କ ସନ୍ଧାନ ମିଳିନଥିଲା | ରାତ୍ର ହୋଇଯିବା କାରଣରୁ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ଫେରି ଆସିଥିବା ଜଣାପଡିଛି | ଆସନ୍ତାକାଲି ସକାଳୁ ପୁଣି ଥରେ ସନ୍ଧାନ ଜାରି ରହିବ ବୋଲି ଆଇଆଇସି ଶ୍ରୀ ଆଗୁପାତ୍ର ପ୍ରକାଶ କରିଛନ୍ତି |

ସମ୍ବନ୍ଧିତ ଖବର