ଚଳନ୍ତା ହାଇୱା ଚକା ସାମ୍ନାକୁ ଡେଇଁ ଯୁବକଙ୍କ ମୃତ୍ୟୁ

ଜୟପୁର: ଶୁକ୍ରବାର ସକାଳ ୬ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ଉମୁରୀ ଗାଁ ନିକଟରେ ଚଳନ୍ତାହାଇୱାର ପଛ ଚକାରେ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟାଭଳି ସ୍ପର୍ଶକାତର ଘଟଣା ହୋଇଛି। ବ୍ୟକ୍ତିଙ୍କ ପରିଚୟ ମିଳିନଥିବାରୁ ତାଙ୍କ ଶବକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ‌ର ଶବାଗାରରେ ରଖାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ମିଳିଥିବାସୂଚନା ମୁତାବକ, ଆଜି ସକାଳ ୬ଟା ବେଳେ ଜୟପୁର ପଟକୁ ବୋରିଗୁମ୍ମା ଆଡ଼ରୁ ହାଇୱା ଆସୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ହାଇୱାକୁ ହାତ ମାରିଥିଲେ। ଉକ୍ତ ବ୍ୟକ୍ତି ଜଣକର ହାବଭାବ ଦେଖି ଡ୍ରାଇଭର ସାମାନ୍ୟ ଭୟଭୀତ ହୋଇଥିଲେ।  ତେବେ ହାଇୱାଟି ନିଜ ଗତିକୁ କମାଇ ଆଣୁଥିବା ବେଳେ ଅଚାନକ ଭାବେ ଉକ୍ତ ବ୍ୟକ୍ତି ଜଣକ ଏହାର ପଛ ଛକ ମଧ୍ୟକୁ ପଶି ଯାଇଥିଲେ। ଏହା ଫଳରେ ପଛ ଛକଟି ଉକ୍ତ ବ୍ୟକ୍ତିଙ୍କ ଶରୀର ଉପରେ ଚଢ଼ି ପଳାଇଥିଲା। ପେଟର ଅନ୍ତବୁଜୁଳା ସବୁ ବାହାରକୁ ବାହାରି ପଡ଼ିବା ସହ ବ୍ୟାପକ ରକ୍ତବୋହିବା ସହ ଘଟଣାସ୍ଥଳରେ ହିଁ ଉକ୍ତବ୍ୟକ୍ତି ଜଣକର ମୃତ୍ୟୁ ହୋଇଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ। ସୂଚନା  ପାଇ ସଦର ପୁଲିସ ଘଟଣାସ୍ଥଳକୁ ଯାଇ ଶବର ପଂଚାନାମା କରିବାସହ ହାଇୱାକୁ ଜବତ କରି ଥାନାକୁ ଆଣିଥିଲେ। ଚାଳକକୁ ଗିରଫ କରାଯାଇଥିଲା।

ଶବକୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶବାଗାରକୁ ଆଣି ରଖାଯାଇଛି। ପରିବାରବର୍ଗ ଆସିଲେ ତାଙ୍କୁ ହସ୍ତାନ୍ତର କରାଯିବ ନଚେତ ଆଜି ଠାରୁ ଆସନ୍ତା ୯୬ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ମରଶରୀର ଶବାଗାରରେ ରଖାଯିବ ବୋଲି କହିଛନ୍ତି ଜୟପୁର ସଦରଥାନା ଅଧିକାରୀ। ତେବେ ମୃତ ବ୍ୟକ୍ତି ଜଣଙ୍କୁ କେହି ଚିହ୍ନି ନଥିବା ବେଳେ ସେ ଉମୁରୀ ଆସିଲେ କିଭଳି ବୋଲି ପୁଲିସ ଓଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ଯେ ହେତୁ ଉମୁରୀରେ ରେଳଷ୍ଟେସନ୍ ରହିଛି କୌଣସି ରେଳରେ ଆସି ଉକ୍ତ ବ୍ୟକ୍ତି ଜଣକ ଏଭଳି କଲେ କି ବୋଲି ପୁଲିସ ସଂଦେହ କରୁଛି। ତେବେ ଉକ୍ତ ବ୍ୟକ୍ତି ଜଣକ ଚିହ୍ନଟ ନ ହେବା ପର୍ଯ୍ୟନ୍ତ ସେ କାହିଁକି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ଭାବେ କହିବା ମୁସ୍କିଲ ବୋଲି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି କହିଛନ୍ତି। ଜୟପୁର ସଦରଥାନା ପୁଲିସ ପକ୍ଷରୁ ଏସଡିପିଓ ହରିଶା ବି.ସିଙ୍କୁ ଅବଗତ କରିବା ପରେ‌ ସେ ଜିଲ୍ଲାର ସବୁ ଥାନାର ଅଧିକାରୀଙ୍କୁ ଏ ନେଇ ସୂଚନା ଦେବା ସହ କେହି ଅଜଣାବ୍ୟକ୍ତିଙ୍କ ସଂପର୍କରେ ଏଫଆଇଆର ଦେଇଥିଲେ କି ତାହାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏହା ସହ ଏହି ଅଜଣା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ସବୁ ଥାନାକୁ କୁହାଯାଇଛି।

ସମ୍ବନ୍ଧିତ ଖବର