ଫ୍ୟୁଜ୍‌ ବାନ୍ଧିବା ବେଳେ ଟ୍ରାନ୍ସଫର୍ମର ଉପରେ ପଡ଼ି ଯୁବକ ମୃତ

ପାଇକମାଲ: ପାଇକମାଲ ଥାନା ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଭୁତମୁଣ୍ଡା ଗାଁରେ ଖୁଣ୍ଟରେ ଚଢ଼ି ଫ୍ୟୁଜ୍‌ ବାନ୍ଧିବା ବେଳେ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର୍‌ ଉପରେ ପଡ଼ିଯିବାରେ ବିଦ୍ୟୁତ୍‌ ଆଘାତରେ ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ଆଜି ଦିନ ପ୍ରାୟ ୧ଟା ବେଳେ ମାଣ୍ଡୋସିଲ ଗାଁର କୁଶ ବରିହା (୪୦) ଭୁତମୁଣ୍ଡା ଗାଁରେ ଲାଗିଥିବା ଟ୍ରାନ୍ସଫରମରେ କଟି ଯାଇଥିବା ଫ୍ୟୁଜ୍‌ ବାନ୍ଧିବାକୁ ଖୁଣ୍ଟକୁ ଚଢ଼ିଥିଲେ। ତେବେ ହଠାତ୍‌ ବିଦ୍ୟୁତ୍‌ ଆଘାତ ପାଇ ସେ ଟ୍ରାନ୍‌ସଫର୍ମର୍‌ ଉପରେ ପଡ଼ିଯିବା ପରେ ଘଟଣା ସ୍ଥଳରେ ହିଁ କୁଶଙ୍କ ମୃତ୍ୟୁ ଘଟିଥିଲା। ଏ ସଂପର୍କରେ ଗ୍ରାମବାସୀ ପାଇକମାଳ ଥାନା ଓ ବିଦ୍ୟୁତ୍‌ ବିଭାଗକୁ ଜଣାଇବା ପରେ ଏଏସ୍‌ଆଇ ପ୍ରକାଶ ଭୋଇ ସଦଳବଳେ ପହଞ୍ଚିଥିବା ବେଳେ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ପୁରନ୍ଦର ସାହୁ କର୍ମଚାରୀଙ୍କ ସହ ପହଞ୍ଚିଥିଲେ। ରଘୁମଣି କଲୋଙ୍କ ତତ୍ତ୍ୱାବଧାନ ଦମକଳ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ମାତ୍ର ଯୁବକଙ୍କ ମୃତ୍ୟୁର କାରଣ ଓ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଗ୍ରାମବାସୀ ଅଡ଼ି ବସିବାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶବ ଉଦ୍ଧାର କରାଯାଇ ପାରି ନଥିଲା। ସୂଚନାଥାଉ କି କୁଶ ବିଦ୍ୟୁତ୍‌ ବିଭାଗର ଜଣେ କର୍ମଚାରୀଙ୍କ ପାଖରେ ରହି ଦୈନିକ ମଜୁରିରେ କାମ କରୁଥିଲେ। ତାଙ୍କ ମୃତ୍ୟୁ ପରେ ପତ୍ନୀଙ୍କ ସହ ୧୦ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ଅସହାୟ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର