ବଣ୍ଡା ଏବଂ ଡିଡାୟୀ ଉନ୍ନୟନ ସଂସ୍ଥାରେ ସେହି ସଂପ୍ରଦାୟର ପିଲାଙ୍କୁ ଚାକିରି ନାହିଁ

ଚାକିରି ନଥିବାରୁ ଦାଦନ ଖଟିବାକୁ ଯାଉଛନ୍ତି ଯୁବକ-ଯୁବତୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲା ପାହାଡ ପର୍ବତରେ ଘେରା। ଏହି ଜିଲ୍ଲାରେ ବିଭିନ୍ନ ସଂପ୍ରଦାୟର ପ୍ରାୟ ଅଶୀ ପ୍ରତିଶତ ଆଦିବାସୀ ଏଠାରେ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ଆଦିମ ଜନଜାତି ବଣ୍ଡା ଏବଂ ଡିଡାୟୀ ସଂପ୍ରଦାୟ ଅନ୍ୟତମ। ବଣ୍ଡା ସଂପ୍ରଦାୟର ଆଦିବାସୀ ଜିଲ୍ଲାର ଖଇରପୁଟ ବ୍ଲକର ସମୂଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଘାଟି ଉପରେ ବସବାସ କରୁଥିବା ବେଳେ ଡିଡାୟୀ କୁଡୁମୁଲୁଗୁମ୍ମା ଏବଂ କୋରକୋଣ୍ଡା ବ୍ଲକର ଦୁର୍ଗମ ବିଛିନ୍ନାଞ୍ଚଳରେ ବାସ କରନ୍ତି। ବଣ୍ଡାଘାଟିରେ ରହିଛି ଦୁଇଟି ପଞ୍ଚାୟତ। ଗୋଟିଏ ଅଣ୍ଡ୍ରାହାଲ ଅନ୍ୟଟି ମୁଦୁଲିପଡା। ପ୍ରାୟ ୩୨ଟି ଗ୍ରାମକୁ ନେଇ ଦୁଇ ପଞ୍ଚାୟତ ଗଠିତ। ଆଧୁନିକ ସଭ୍ୟତା ଠାରୁ ବହୁ ଦୁରରେ ଏବେ ବି ବଣ୍ଡା ସଂପ୍ରଦାୟର ଲୋକେ।

ଆଜିକାଲି ଏହି ସଂପ୍ରଦାୟର ଯୁବକଯୁବତୀ ମାନେ ପାଠ ପଢି ବାହାରକୁ ବାହାରିଲେଣି ସତ କିନ୍ତୁ ନିଜର ପରଂପରାକୁ ଏବେ ବି ସେମାନେ ଜାବୁଡି ଧରିଛନ୍ତି। ଏହି ଆଦିମ ଜନଜାତି କାହିଁ କେଉଁ କାଳରୁ ଘାଟି ଉପରେ ନିଜର ସଂସ୍କୃତିକୁ ନେଇ ବଂଚି ରହିଛି। ତେବେ ଏହି ଅଂଚଳର ପିଲାମାନେ ଏବେ ସ୍କୁଲରେ ପାଠ ପଢୁଥିବା ବେଳେ ବଣ୍ଡାଘାଟିରେ କିନ୍ତୁ ଶିକ୍ଷାର ସେଭଳି ଆଖିଦୁର୍ଶିଆ ବ୍ୟବସ୍ଥା କରାଯାଉ ନାହିଁ। ଘାଟିରେ ସ୍କୁଲ ଅଛି ସତ କିନ୍ତୁ ଶିକ୍ଷକ ନିୟମିତ ଯାଉନଥିବା ବେଲେ ବିଦ୍ୟାଳୟ ଗୁଡିକର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ପିଲାମାନେ ନିୟମିତ ସ୍କୁଲକୁ ଯାଉନଥିବା ବେଳେ ପ୍ରାୟତଃ ଘର କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳେ। ସେହିପରି ୫୮ଟି ଗ୍ରାମରେ ଡିଡାୟୀ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ଏମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ଏହି ସଂପ୍ରଦାୟ ମଧ୍ୟ ଆଧୁନିକ ସଭ୍ୟତା ସହ ଖାପ ଖୁଆଇବା ଆରମ୍ଭ କଲେଣି। କିନ୍ତୁ ଏମାନଙ୍କ ପାଖରେ କାମଧନ୍ଦା ନଥିବାରୁ ଏମାନେ ଜଂଗଲରେ ପଡି ରହିଛନ୍ତି।

ଏଠାରେ ରୋଜଗାରର କୌଣସି ମାଧ୍ୟମ ନଥିବା ବେଳେ କେବେ କେମିତି ରାସ୍ତା କାମ ହେଲେ ଲୋକଙ୍କୁ କାମ ମିଳିଥାଏ। ତେଣୁ ପରିବାରର ପ୍ରାୟତଃ ସମସ୍ତେ ଏହି କାମରେ ନିୟୋଜିତ ହୋଇ ଅର୍ଥ ଉପାର୍ଜନ କରିଥାନ୍ତି। କାମ ଧନ୍ଦା ନଳିବାରୁ ପୁଅ ପିଲାମାନେ ଜଂଗଲରୁ କାଠ ସଂଗ୍ରହ କରିବା ସହ ଜଂଗଲଜାତ ଦ୍ରବ୍ୟ ସଂଗ୍ରହରେ ଲାଗି ପଡନ୍ତି। ଏହାକୁ ବଜାରରେ ବିକ୍ରି କରି ବେଶ ଦି’ ପଇସା ଲାଭ ପାଇଥାନ୍ତି। ଏଥିରେ ପରିବାରର କୌଣସି ବୟୋଜ୍ୟେଷ୍ଠା କାମ କରିବାରେ ବାଧା ଦିଅନ୍ତି ନାହିଁ।

Sambad

ଅନ୍ୟଦିଗରେ କହିବାକୁ ଗଲେ ପିଲାମାନଙ୍କୁ କାମ କରିବାକୁ ବାଧ୍ୟ କରାଯାଏ। କଅଁଳ ବୟସରେ ଝିଅ ମାନେ ବାହା ହୋଇ ଯାଉଥିବା ବେଳେ ବାର୍ଦ୍ଧକ୍ୟ ହେବା ପୂର୍ବରୁ ଏମାନଙ୍କର ମୃତ୍ୟୁ ହୋଇ ଯାଇଥାଏ। ଏନେଇ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନଥିବା ବେଳେ ବଣ୍ଡା ଓ ଡିଡାୟୀ ପିଲାଙ୍କ ଭବିଷ୍ୟତକୁ ନେଇ ସରକାର ନୂଆନୂଆ ଯୋଜନା କରୁଥିବାବେଳେ ଏମାନଙ୍କ ଭବିଷ୍ୟତ କିନ୍ତୁ ସେହି ପାହାଡ ଉପରେ ହିଁ ରହିଯାଏ। ଏମାନଙ୍କ ପାଇଁ ବଣ୍ଡା ଉନ୍ନୟନ ସଂସ୍ଥା ଏବଂ ଡିଡାୟୀ ଉନ୍ନୟନ ସଂସ୍ଥା ମଧ୍ୟ ତିଆରି କରାଯାଇଛି।

ଏହି ସଂସ୍ଥା ଏହି ଦୁଇ ସଂପ୍ରଦାୟର ଯୁବକଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମଧ୍ୟ କାମ କରିବାର ସୁଯୋଗ ପ୍ରଦାନ କରିବା କଥା। କିନ୍ତୁ ଏହି ଉନ୍ନୟନ ସଂସ୍ଥା ତରଫରୁ ଏହି ଦୁଇ ସଂପ୍ରଦାୟର ଯୁବକଯୁବତୀ ମାନଙ୍କ ପାଇଁ ସେଭଳି କୌଣସି କାର୍ଯ୍ୟ କରୁନଥିବା ଦେଖିବାକୁ ମିଳିଛି। ଯାହାଫଳରେ ଯୁବକଯୁବତୀ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି। ବଣ୍ଡା ଏବଂ ଡିଡାୟୀ ସଂପ୍ରଦାୟର ଯୁବକଯୁବତୀ କେତେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ତାହାର ହିସାବ ନା ପ୍ରଶାସନ ପାଖରେ ରହିଛି ନା ଶ୍ରମ ବିଭାଗ ପାଖରେ। କାମଧନ୍ଦା ନପାଇ ବହୁ ଯୁବତୀ ଏବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବିଭିନ୍ନ ଧାନ ମିଲରେ କାମ କରୁଛନ୍ତି। ବଣ୍ଡା ଏବଂ ଡିଡାୟୀ ଉନ୍ନୟନ ସଂସ୍ଥା ତରଫରୁ ଯେତେ ସବୁ ଚାକିରି ବାହାରୁଛି ସେଥିରେ ବଣ୍ଡା ଏବଂ ଡିଡାୟୀ ସଂପ୍ରଦାୟର ପାଠୁଆ ଯୁବକଯୁବତୀଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଛି। ସେହିପରି ଏହି ଦୁଇ ସଂପ୍ରଦାୟର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଯେଉଁ ସବୁ ଯୋଜନା ରହିଛି ତାହା ନାମକୁ ମାତ୍ର ବୋଲି କୁହାଯାଇଛି। ତେଣୁ ଏହି ଦୁଇ ସଂପ୍ରଦାୟର ଆଗାମୀ ଭବିଷ୍ୟତକୁ ଅନ୍ତତଃ ମୁଖ୍ୟସ୍ରୋତରେ ସାମିଲ କରାଯାଇ ଆଗକୁ ବଢିବାର ସୁଯୋଗ ପ୍ରଦାନ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର