ଟାଙ୍ଗିଆ ଚୋଟରେ ଯୁବକଙ୍କୁ ନୃଶଂସ ହତ୍ୟା

ହେମଗିର: ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଗର୍ଜନବାହାଲଠାରେ ରବିବାର ରାତିରେ ଜଣେ ବିବାହିତ ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାଯାଇଛି। ମୃତ ଯୁବକ ଜଣକ ଗର୍ଜନବାହାଲର ଜୀବଧନ ମାଝୀ (୩୬) ବୋଲି ଜଣାପଡିଛି। ସୂଚନା ଅନୁସାରେ ରବିବାର ରାତି ପ୍ରାୟ ୯ଟା ସମୟରେ ମୃତ ଜୀବଧନ ଗାଁ ସାପ୍ତାହିକ ବଜାର ପିଣ୍ଡିରେ ବସି ମୋବାଇଲରେ କଥା ହେଉଥିବା ସମୟରେ କେହି ଅଜଣା ଦୁବୁର୍ତ୍ତ ପଛପଟୁ ଏକ ଟାଙ୍ଗିଆରେ ଜୀବଧନଙ୍କୁ ଅଚାନକ ଆକ୍ରମଣ କରି ବାରମ୍ବାର ଚୋଟ ମାରିଥିବା ବେଳେ ମୁଣ୍ଡ, ମୁହଁ, ଛାତି ଓ ବେକରେ ଗଭୀର ଆଘାତ ଲାଗିଥିଲା।

ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ଜୀବଧନଙ୍କର ମୃତ୍ୟୁ ଘଟିଥିବା ବେଳେ ହତ୍ୟାକାରୀ ଜଣକ ହତ୍ୟାକାଣ୍ଡ ଘଟାଇ ସେଠାରୁ ଫେରାର ହୋଇଯାଇଥିଲା। ଏନେଇ ମୃତକଙ୍କ ଭାଇ ଯଞସିଂ ମାଝୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ସକାଳେ ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ପୁଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ଫେରାର ଆସାମୀକୁ ଧରିବାକୁ ତନାଘନା ଚାଲିଛି । ମୃତକ ଜୀବଧନ ଏମସିଏଲ କୁଲଡା ଖଣିରେ ପମ୍ପ ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ହତ୍ୟାକାଣ୍ଡର ସଠିକ କାରଣ ଜଣାପଡ଼ିନଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଏହା ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର