ଭେଡ଼େନ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାଂଚଳରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ବରଗଡ଼ ଜିଲ୍ଲା ଋଷୁଡ଼ା ଫାଣ୍ଡି ଅଧିକାରୀ ଉଦ୍ଧାର କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ପଧାନପାଲିରେ ଥିବା ଆବର୍ଜନା କୁଣ୍ଡ ନିକଟରେ ଯୁବକ ଜଣକ ଆଶ୍ରୟ ନେଇଥିଲେ। ସେ ଖରା, ବର୍ଷା, ଶୀତରେ ଏହି କୁଣ୍ଡ ନିକଟରେ ଯିଏ ଯେତେବେଳେ ଯାହା ଦେଉଥିଲେ ଖାଇପିଇ ସେଠାରେ ପଡ଼ିରହିଥିଲେ। ହେଲେ ପୁଲିସ ଗାଡ଼ି ପାଟ୍ରୋଲିଂ କରୁଥିବା ସମୟରେ ଫାଣ୍ଡି ଅଧିକାରୀ ପ୍ରେମରାଜ ସାହୁ ଏହାଦେଖି ସରପଞ୍ଚ ବିଜୟ କର୍ମୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ। କିଛି ଖାଇବାକୁ ଦେଇ ତାଙ୍କୁ ପରିଚୟ ପଚାରିବା ବେଳକୁ ସାମାନ୍ୟ ମାନସିକ ବିକୃତ ଥିବା ଜଣାପଡ଼ିଥିଲା।
ସେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଂଚଳ ବୋଲି କହିଥିଲେ ହେଁ କେମିତି ଏଠାକୁ ଆସିଲେ କହିପାରି ନଥିଲେ। ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ବେଗୁନିଆ ଥାନାକୁ ଯୋଗାଯୋଗ କରିବାରୁ ୨ ବର୍ଷ ଆଗରୁ ଉକ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ଲୋକିପୁର ଗାଁର ହାଡ଼ିବନ୍ଧୁ ନାଏକଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ (୩୨ ବର୍ଷ) ମେଣ୍ଢା ଚରାଇବାକୁ ଯାଇ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ଉଭୟ ଥାନାଧିକାରୀ ଫଟୋ ଦେଖିଲା ପରେ ସୂର୍ଯ୍ୟକାନ୍ତ ବୋଲି ସ୍ପଷ୍ଟ ହୋଇଥିଲା। ପରେ ପୁଲିସ୍ ତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାରଲୋକେ ଋଷୁଡ଼ା ଫାଣ୍ଡିରେ ପହଁଚି ନିଖୋଜ ଥିବା ତାଙ୍କ ପୁଅକୁ ୨ ବର୍ଷ ପରେ ପାଇଥିଲେ। ଫାଣ୍ଡି ଅଧିକାରୀଙ୍କ ଏହି ମହାନତା ଯୋଗୁଁ ଆମ ପୁଅକୁ ଆମେ ପାଇଛୁ ବୋଲି ଲୁହଭରା କଣ୍ଠରେ ପ୍ରକାଶ କରିଥିଲେ।