ସାଧୁତା ଆଗରେ ଫିକା ପଡିଗଲା ଲୋଭ: ଲକ୍ଷାଧିକ ଟଙ୍କାର ଆଇଫୋନ ପାଇ ଫେରାଇଲେ ଓଡ଼ିଆ ଯୁବକ

ଚାନ୍ଦବାଲି : ଯଦି ଜଣେ ବାଟରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଏକ ଆଇଫୋନ ପାଆନ୍ତି ତେବେ ସେ କ’ଣ କରିବେ? ଯଦି ତାଙ୍କୁ ଆଇଫୋନ ପ୍ରତି ଲୋଭ ଆସିଯିବ ସେ ନିଶ୍ଚିତ ଭାବେ ମୋବାଇଲ କୁ ପକେଟରେ ପୁରାଇବେ | ହେଲେ ଆଇଫୋନ ପାଇ ବି ଲୋଭର ବଶବର୍ତ୍ତୀ ନ ହୋଇ ନିଜ ସାଧୁତାର ପରିଚୟ ଦେଇ ପ୍ରଶଂସା ସାଉଁଟିଛନ୍ତି ଜଣେ ଓଡ଼ିଆ ଯୁବକ | ସୁଦୂର ତାମିଲନାଡୁରେ ଏକ କମ୍ପାନୀରେ କାର୍ଯ୍ୟରତ ଓଡ଼ିଆ ଯୁବକ ସୂର୍ଯ୍ୟକାନ୍ତ ବିଶ୍ୱାଳ କାର୍ଯ୍ୟରୁ ଫେରୁଥିବା ବେଳେ ରାସ୍ତାରେ ଏକ ଆଇଫୋନ ପାଇଥିଲେ | ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ସେ ଜାଣିପାରିଥିଲେ |

ଫୋନଟିକୁ ନିଜ ପାଖରେ ନ ରଖି ସେ ପୁଲିସ ଷ୍ଟେସନ ଯାଇ ଜିମା ଦେବାକୁ ଚାହିଁଥିଲେ | ଆଉ ପୁଲିସ ଷ୍ଟେସନ ଯିବା ବାଟରେ ଜଣେ ବ୍ୟକ୍ତି ଅତ୍ୟନ୍ତ ବ୍ୟସ୍ତତାର ସହିତ ମୋବାଇଲ ଖୋଜୁଥିବାର ଦେଖିବାକୁ ପାଇଥିଲେ | ଏହା ପରେ ଉପଯୁକ୍ତ ପ୍ରମାଣ ନେଇ ସେ ସେହି ବ୍ୟକ୍ତିଙ୍କୁ ଆଇଫୋନ ଫେରାଇ ଦେଇଛନ୍ତି | ନିଜର ବହୁ ମୂଲ୍ୟ ଆଇଫୋନ ପାଇବା ପରେ ଖୁସି ହୋଇ ସେ ଲୋକ ପଇସା ଦେବାକୁ କହିବାରୁ ଓଡ଼ିଆ ଯୁବକ ପଇସା ନେବାକୁ ମନା କରିଥିଲେ ।

ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତ ମଧୁପୁର ଗାଁର ରାଧାକାନ୍ତ ବିଶ୍ୱାଳଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ ବିଶ୍ୱାଳ ଘରର ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ସୁଦୂର ଚେନ୍ନାଇରେ ଏକ କମ୍ପାନୀରେ କାମ କରି ମାସିକ ୧୦ହଜାର ଟଙ୍କା ଦରମା ପାଇଥାନ୍ତି | ଆଉ ତାଙ୍କର ଏହି ସାଧୁତା ପାଇଁ ଏବେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି |

ସମ୍ବନ୍ଧିତ ଖବର