ଛେଉଣ୍ଡ ଭାଇଭଉଣୀକୁ ସାହା ହେଲା ଯୁବ ମଞ୍ଚ

ସୁନ୍ଦରଗଡ଼: ଚାରି ବର୍ଷ ତଳେ ବାପାମା’ଙ୍କ ହରାଇଥିଲେ କନିକା ପଞ୍ଚାୟତ ଗିରିପୁରର ଶାନ୍ତି ସୁନାଦି (୧୫)। ସେଦିନ ଠାରୁ ଦୁଇ ନାବାଳକ ଭାଇ ସହ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ସେ। ବାପାମା’ ଯିବା ପରେ ଶାନ୍ତି ହିଁ ଘର ସମ୍ଭାଳିଛନ୍ତି। ସାଇକେଲରେ ପ୍ରତିଦିନ ୧୫ କିଲୋମିଟର ବେଲପାହାଡ଼ ଯାଇ ମଜୁରି ଖଟି ୩ ଜଣଙ୍କ ପେଟକୁ ଆହାର ଯୋଗାଇ ଆସୁଛନ୍ତି।

ତେବେ ତାଲାବନ୍ଦ ଯୋଗୁଁ ମଜୁରିର ବାଟ ମଧ୍ୟ ବନ୍ଦ ହୋଇ ଯାଇଥିବାରୁ ତିନି ଭାଇଭଉଣୀ ପ୍ରାୟ ମାସେ ହେଲା ଏକ ପ୍ରକାର ଭୋକ ଉପାସରେ ରହିଛନ୍ତି। ତେବେ ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ସେମାନଙ୍କ ପାଖରେ ପହଞ୍ଚିଛି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ। ମଞ୍ଚର ପ୍ରତିନିଧିମାନେ ଗିରିପୁର ଯାଇ କିଛି ରାସନ ସାମଗ୍ରୀ ଦେଇଥିଲେ।

ଏହା ସହ ଶାନ୍ତି ଅସୁସ୍ଥ ଥିବା ଜାଣି ଆମ୍ବୁଲାନ୍ସ ଯୋଗେ ହେମଗିର ଡାକ୍ତରଖାନା ନେଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଆଗକୁ ଶାନ୍ତି ନାମରେ ଆବଶ୍ୟକ ପ୍ରମାଣପତ୍ର ପ୍ରସ୍ତୁତ କରିବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲି ପରିବାରକୁ ନିୟମିତ ସହାୟତା ଦିଆଯିବ ଓ ସରକାରୀ ସହାୟତା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମଞ୍ଚ ସମ୍ପାଦକ ଦିନେଶ ପଟେଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର