ଭିଡ଼ିଓ ଭାଇରାଲ୍ କରି ଆତ୍ମହତ୍ୟା କଲେ ଯୁବକ

ଖୋର୍ଦ୍ଧା: ଆଜି ଧଉଳିମୁହଁ ରେଳ ଷ୍ଟେସନ ଓ ଅଣ୍ଡା ମଧ୍ୟବର୍ତୀ ରେଳଧାରଣା ଉପରୁ ଏକ ଯୁବକଙ୍କ ମୃତଦେହକୁ ରେଳବାଇ ପୁଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିବା ପରେ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ିଛି । ଗତକାଲି ସାମାଜିକ ଗଣମାଧ୍ୟମରେ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅନ୍ତର୍ଗତ ଖଡ଼ାହାଟ ଅଂଚଳର ସୌମ୍ୟ ରଂଜନ ପରିଡ଼ା (୩୦) ଏକ ଭିଡ଼ିଓ ଉଠାଇ ନିଜର ସାନ ଭାଇଙ୍କ ନିକଟକୁ ପଠାଇଥିଲେ । ଏଥିରେ ସେ ନିଜର ହାତର ଶିରା କାଟିବା ସହ ନିଜର ଭୁଲ ପାଇଁ ଅନୁତପ୍ତ ଓ ବାପା-ମା’ଙ୍କୁ ଭଲ ପାଉଥିଲେ ମଧ୍ୟ ତାଙ୍କ ପାଇଁ କିଛି କରିପାରିଲିନି ବୋଲି କହିଥିଲେ ।

ତେବେ ଆଜି ସକାଳେ ଖୋର୍ଦ୍ଧା ରୋଡ୍ ଜିଆରପି ପୁଲିସ ଏକ ଖଣ୍ଡବିଖଣ୍ଡିତ ମୃତଦେହକୁ ଧଉଳିମୁହଁ ନିକଟରୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିବା ପରେ ଗତକାଲି ରାତିରେ ସେ ଜାରି କରିଥିବା ଭିଡ଼ିଓ କଥା ପଦାରେ ପଡ଼ିଥିଲା । ଏନେଇ ଜିଆରପି ଜଟଣୀ ପୁଲିସ ୧୭/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର