ଘୁ.ଉଦୟଗିରି: ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲାର ଭାଗ୍ୟ ବଦଳିନି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର, ପ୍ରାକୃତିକ ଜଙ୍ଗଲ ସଂପଦରେ ଭରପୁର ଥିବା ଜିଲ୍ଲାରେ ଅଭାବୀ,ଗରିବୀ,ବେକାରୀ ଯୋଗୁ ଯୁବପିଢିଙ୍କ ପେଟପୁରୁ ନ ଥିବା ବେଳେ ଆଜି ବାହାର ରାଜ୍ୟରେ ଦାଦନ ଖଟିବାକୁ ଯିବାକୁ ପଡୁଛି। କନ୍ଧମାଳରେ ସିନା ଜନ୍ମ କର୍ମକ୍ଷେତ୍ର କିନ୍ତୁ କେରଳ। ଏହା ଯେମିତି କନ୍ଧମାଳ ଜିଲ୍ଲା ଯୁବପିଢିଙ୍କ  ଭାଗ୍ୟରେ ଲେଖା ହୋଇଛି।

Advertisment

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଜିଲ୍ଲାରେ ପଯ୍ୟଟନସ୍ଥଳ ବିକାଶ ନ କରିବା, ଜିଲ୍ଲାର ପ୍ରମୁଖ  ଏବଂ ନାଁ କରିଥିବା ହଳଦୀ ଚାଷ,ଅଦା ଚାଷ,ସୋରିଷ ପ୍ରତି ଗୁରତ୍ୱ ନ ଦେବା, ଆମ୍ବ, ପଣସ, ହଳଦୀ ସହିତ ଜଙ୍ଗଲ ଜାତ ସାମଗ୍ରୀକୁ ଦ୍ରୁଷ୍ଟିରେ ରଖି କାରଖାନା ସ୍ଥାପନା ନ କରିବା, ଜଙ୍ଗଲଜାତ ସାମଗ୍ରୀ ଅନୁଯାୟୀ କୁଟିର ଶିଳ୍ପ ସ୍ଥାପନ କରା ନ ଯିବା ଫଳରେ ଯୁବପିଢି ସ୍ୱାବଲମ୍ବୀ ହୋଇ ନ ପାରି ଦାଦନ ଖଟିବାକୁ ବାଧ୍ୟ ହୋଇଥାନ୍ତି।

ମୂଳ କାରଣ ଗୁଡିକୁ ସବୁ ସରକାର ଧ୍ୟାନ ଦେଇ କେବଳ ଅଦରକାରୀ ଯୋଜନା ଖୋଲି ଜିଲ୍ଲାର ବିକାଶ କରିବାର ବାହାନା କରିଥାନ୍ତି। ଫଳରେ ଆଜି ବି କନ୍ଧମାଳର ଯୁବକଯୁବତୀ ଘରଦ୍ୱାର ପରିବାର ସ୍ୱଜନ ଛାଡି ଦାଦନ ଖଟିବାକୁ କେରଳ ଯାଇଥାନ୍ତି। 

ନିୟମିତ ବ୍ୟବଧାନରେ ପ୍ରତି ସପ୍ତାହରେ କେରଳରୁ ବସ ଆସିଥାଏ। ନିର୍ଦିଷ୍ଟ କେତେକ ବସରେ କନ୍ଧମାଳ ଏକ୍ସପ୍ରେସ ଲେଖାଯାଇଥିବା ବେଳେ ଫୋନ ନମ୍ବର ମଧ୍ୟ ଲେଖା ଯାଇଛି। ପ୍ରତି ସପ୍ତାହରେ ଶତାଧିକ ଯୁବକଯୁବତୀ କନ୍ଧମାଳରୁ କେରଳ ଯାଉଥିବା ବେଳେ, କନ୍ଧମାଳରୁ ଯୁବଶକ୍ତି ଖାଲି ହେବାରେ ଲାଗିଛି। କନ୍ଧମାଳର ଯୁବଶକ୍ତିକୁ ନେଇ ବିକଶିତ ହେଉଛି କେରଳ।

କନ୍ଧମାଳର ଯୁବପିଢି ଦାଦନ ଖଟିବାକୁ ଭାଗ୍ୟରେ ଲେଖା ବୋଲି ଧରି ନେଇଥିବା ବେଳେ, କେରଳ ହାତରେ କନ୍ଧମାଳର ଭାଗ୍ୟ ଯେମିତି ବନ୍ଧା ପଡିଛି। ଆଉ ଏହାକୁ ମୁକୁଳେଇବାକୁ ସତେ ଯେମିତି ସରକାରଙ୍କ ଆନ୍ତରିକତା ନାହିଁ। 

ଗୋଟିଏ ପଟେ ରୋଜଗାର ପାଇଁ ଯୁବକଯୁବତୀ ସବୁ ସମସ୍ୟା ନିର୍ଯାତନାକୁ ସହି ଯାଉଥିବା ବେଳେ ଏବେ ଦୁଇ ଜଣ ଯୁବତୀଙ୍କୁ  ତିନି କେଜି ଗଞ୍ଜେଇ  ଚୋରା ଚାଲାଣ  ଅଭିଯୋଗରେ କେରଳ ଜେଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଅପରାଧିକ ମାମଲା ପଛରେ ପ୍ରକୃତରେ କେଉଁମାନେ ରହିଛନ୍ତି ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ନିରୀହ ଯୁବତୀମାନଙ୍କ ଭବିଷ୍ୟତ ସହିତ ଖେଳାଯାଉଥିବା ବେଳେ ଓଡିଶା ସରକାର ଏହାର ତଦନ୍ତ କରିବାକୁ ଦାବି ହେଉଛି। ନ ହେଲେ ଭବିଷ୍ୟତରେ କନ୍ଧମାଳ ଜିଲ୍ଲା ଅନ୍ୟ ରାଜ୍ୟ ଆଗରେ ସମ୍ମାନ ହରାଇବା ଆଶଙ୍କା ଦେଖାଦେଇ ଥିବା ବେଳେ ଦଲାଲମାନେ ବିଭିନ୍ନ ଅପରାଧ କାଯ୍ୟକଳାପରେ ସାମିଲ ରହିବା ଆଶଙ୍କା ଦେଖା ଦେଇଛି।

 କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଗାଡିକୁ ପ୍ରଶାସନ ତରଫରୁ ଏହା କେତେ ଆଇନ ସମ୍ମତ, ଜିଲ୍ଲା ପ୍ରଶାସନ ଜାଣତରେ  ବିଧିବଦ୍ଧ ଭାବେ ଯାଉଛି କି,  ଲମ୍ବା ଯାତ୍ରା ପାଇଁ ସମସ୍ତ ପ୍ରକାର ସୁବିଧା ଅଛି କି ନାହିଁ, କେତେ ସୁରକ୍ଷିତ ଯାତ୍ରା, କେରଳ ଯିବା ଯୁବକଯୁବତୀଙ୍କ ପରିବାର ଅନୁମତି ଦେଇଛନ୍ତି କି ନାହିଁ, କିଏ ଦାୟିତ୍ୱ ନେଉଛି, କେଉଁ କମ୍ପାନୀ ନେଉଛି ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ରହିଥିଲେ ମଧ୍ୟ କେହି କେବେ ଏହି ଗାଡିଗୁଡିକୁ ପଚରା ଉଚରା କରାଯାଉଥିବା ନଜିର ନାହିଁ।

ତେଣୁ ସରକାର ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ପଯ୍ୟଟନସ୍ଥଳ ଗୁଡିକର ବିକାଶ, ହଳଦୀ, ବିନ, ଚାଷ ପାଇଁ ବଜାର ବ୍ୟବସ୍ଥା ସହିତ ପ୍ରୋତ୍ସାହିତ କରିବା ସହିତ ଆମ୍ବ ,ପଣସ, ହଳଦୀକୁ ନେଇ ଜିଲ୍ଲାରେ କାରଖାନା ସ୍ଥାପନା, ବନ୍ୟ ସାମଗ୍ରୀକୁ ଲକ୍ଷ୍ୟ କରି କୁଟୀର ଶିଳ୍ପ କରାଗଲେ ଦାଦନ ସମସ୍ୟାର ସମାଧାନ ହୋଇ ପାରିବା ସହିତ ଜିଲ୍ଲାର ଆର୍ଥିକ ଅବସ୍ଥା ସୁଧୁରି ପାରିବ ବୋଲି ସମାଜସେବୀ ମହମ୍ମଦ ଜିଆଉଦିନ ଦାବି କରିଛନ୍ତି। କନ୍ଧମାଳ ଜିଲ୍ଲାର ଶହ ଶହ ଶିକ୍ଷିତ ଯୁବକଯୁବତୀ  ପାଠ  ପଢ଼ି ସାରିବା ପରେ କୌଣସି ଚାକିରି କିମ୍ବା ସରକାରୀ ପ୍ରୋତ୍ସାହନ ପାଉ ନ ଥିବା ଯୋଗୁ ସେମାନେ ଘରେ ବେକାର ବସି ରହିଛନ୍ତି ।

 ପରିବାର ପ୍ରତିପୋଷଣ କରିବା ନିମନ୍ତେ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ରୋଜଗାର କରିବା ପାଇଁ ନିଜ ପରିବାର ଓ ପ୍ରିୟ ପରିଜନଙ୍କୁ ଛାଡି ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯାଉଛନ୍ତି । ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଯୁବକଯୁବତୀଙ୍କ ସଂଖ୍ୟା କମିବାରେ ଲାଗିଛି ।

ଅଧିକ ପଢ଼ନ୍ତୁ:କୁକୁରଙ୍କ ପାଇଁ ଶ୍ମଶାନ କରିବେ ସରକାର

ଯେପରି ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତ କରି ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ଉଦ୍ୟମ କରୁଛନ୍ତି ସେହିପରି ଶିକ୍ଷିତ ଯୁବକଯୁବତୀମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ଏବଂ ରୋଜଗାରକ୍ଷମ କରିବା ନିମନ୍ତେ ସରକାରଙ୍କ ତରଫରୁ ବ୍ୟବସ୍ଥା କରିବା ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ଯୁବ ସମାଜ ସେବୀ ଆମନ ଚନ୍ଦ୍ର ନାୟକ କହିଛନ୍ତି।

ଅଧିକ ପଢ଼ନ୍ତୁ:ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା